ଆଜି ପାଳନ ହେଉଛି ଅସଲ ଛାଡ଼ଖାଇ । ପୂର୍ଣ୍ଣିମା ପରଦିନ ମଙ୍ଗଳବାରରେ ପଡ଼ୁଥିବାରୁ ଆଜି ବୁଧବାରରେ ଲୋକମାନେ ଛାଡ଼ଖାଇ ପାଳନ କରୁଛନ୍ତି । ଗାଁରୁ ସହର ଚାରିଆଡ଼େ ହଉଛି ଆମିଷର ବାସ୍ନା । ଏ ନେଇ ଆଜି ଆମିଷ ବଜାରରେ ଲାଗିଛି ନିଆଁ । ଲୋକଙ୍କ ଖଚାଖଚ ଭିଡ଼ ସାଙ୍ଗକୁ ଜମିଛି କିଣିବିକା । ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି ।
ଏପରିକି ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆସା କରାଯାଇଛି । ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଛନ୍ତି । ଏପରିକି ଗ୍ରାହହଙ୍କ ଭିଡ ଓ ଚାହିଦା ଅନୁସାରେ, ରାଜଧାନୀରେ ଆମିଷ ଦର ବି ଟିକେ ଉଚ୍ଚା ରହିଛି । ୟୁନିଟ୍-4 ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ ରୁ ୧୮୦୦ ଟଙ୍କା ରହିଛି । ଏପରିକି ଚିଙ୍ଗୁଡ଼ି ଦର ୧୦୦୦ ଉପରେ । ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ ।
ଛାଡଖାଇରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ସବୁଠୁ ବଡ଼ କଥା ହେଲା, ଗତକାଲି ମଙ୍ଗଳବାର ଥିବାରୁ କେତେକ ଲୋକେ ଆଜି ଆମିଷ କିଣୁଛନ୍ତି । ଫଲରେ ଭଲ ଦୁଇ ପଇସା ବ୍ୟବସାୟ ଆଶା ରଖିଛନ୍ତି ବ୍ୟବସାୟୀ ।