କେନ୍ଦ୍ରାପଡ଼ାରେ ଏକ କରତକଳରେ ଘଟିଛି ଅଘଟଣ। କାମ କରୁଥିବା ସମୟରେ ଆଜି ଜଣେ ଯୁବକଙ୍କ ହଠାତ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ କରତ କଳ ମାଲିକ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡି ଫେରାର ହୋଇଯିବା ଘଟଣା ଆଲୋଡନ ସୃଷ୍ଟି କରିଛି । ଏହା ଦୁର୍ଘଟଣା ନା ହତ୍ୟା ସେ ନେଇ ସନ୍ଦେହ ଉପୁଜିଛି। । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ତହସିଲ ଅଧିନ ବଳଭଦ୍ରପୁର ଗାଁରେ । ମୃତକ ଜଣକ ହେଲେ ଡେରାବିଶ୍ ଥାନା କେଉଟକଣ୍ଡିଆ ଗ୍ରାମର 30 ବର୍ଷୀୟ ଯୁବକ ଚନ୍ଦ୍ରଶେଖର ସେଠୀ । ଘଟଣା ଅନୁଯାୟୀ, ବଳଭଦ୍ରପୁରରେ ଥିବା ସରକାରୀ କରତ କଳରେ ଆଜି ଚନ୍ଦ୍ରଶେଖର ସେଠୀ କାମ କରୁଥିଲେ । ସୁକଦେଵ ନାମକ ଜଣେ ମାଲିକଙ୍କ ଏହି କରତ କଳରେ କାମ କରୁଥିବା ସମୟରେ ହଠାତ ତଳେ ପଡି ଯାଇଥିଲେ ଚନ୍ଦ୍ରଶେଖର। ସୁକଦେଵ ଅନ୍ୟ କିଛି କରତକଳ ମାଲିକଙ୍କ ସହାୟତାରେ ଚନ୍ଦ୍ରଶେଖରଙ୍କୁ ମେଡିକାଲ ନେଇ ଆସିଥିଲେ । ହେଲେ ସେମାନେ ଏ ସମ୍ପର୍କରେ ଚନ୍ଦ୍ରଶେଖରଙ୍କ ପରିବାରବର୍ଗଙ୍କୁ କିଛି ଖବର ଦେଇନଥିଲେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଚନ୍ଦ୍ରଶେଖରଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ କରତ କଳ ମାଲିକମାନେ ମେଡିକାଲରେ ଚନ୍ଦ୍ରଶେଖରଙ୍କ ମୃତଦେହକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଖବର ପାଇ ପରିବାର ଲୋକେ ମେଡିକାଲରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି । ଚନ୍ଦ୍ରଶେଖରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।