ଓଡ଼ିଶା ଜୀବିକା ମିଶନ୍ ର ବ୍ଲକସ୍ତରୀୟ ମହାସଂଘର ସମ୍ପାଦିକାଙ୍କୁ ପଦରୁ ବହିଷ୍କାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁକିନ୍ଦା ମାଷ୍ଟର ବୁକ୍ କିପର କମ ଅଡିଟର (ଏମବିକେ) ଓ ସମ୍ପ୍ରଦାୟ ସମ୍ବଳ ବ୍ୟକ୍ତି (ସିଆରପି) ସଂଘ କର୍ମଚାରୀ । ସଂଘ ପକ୍ଷରୁ ଆଜି ମହିଳାମାନେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଦ୍ଵିତୀୟ ଦିନରେ ଧାରଣା ଦେବା ସହ ଓ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଲଗାତାର 2 ଦିନ ଧରି ଆନ୍ଦୋଳନ କରୁଥିବା ବେଳେ ଅନଶନସ୍ଥଳରେ ସୁକିନ୍ଦା ଏମବିକେ ଶ୍ରୀତିକା ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ଧାରଣାରେ ବସିଥିବା ମହିଳା କର୍ମଚାରୀମାନଙ୍କ ସହିତ ବ୍ଲକ ବିଡିଓ ତାପସ କୁମାର ସେଠୀ, ବ୍ଲକ ଅଧକ୍ଷା ପଦ୍ମାବତୀ ଜେନା, ବ୍ଲକ ଉପାଦକ୍ଷ ଦିବ୍ୟରଞ୍ଜନ ବରାଳ ଆଲୋଚନା କରିଥିବା ବେଳେ ଆଲୋଚନା ବିଫଳ ହୋଇଛି । କଂଗ୍ରେସ ଦଳର ନାରୀନେତ୍ରୀ ସ୍ୱପ୍ନା ବେହୁରା ଓ କଂଗ୍ରେସ ସେବାଦଳର ପ୍ରମୁଖ ହରିହର ପାଣିଗ୍ରାହୀ ଅନଶନକାରୀ ମହିଳାଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ । ରଶ୍ମୀତା ଭଟ୍ଟାଚାର୍ଯ୍ୟଙ୍କୁ ସମ୍ପାଦିକା ପଦବୀରୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।