ସମଗ୍ର ଦେଶରେ ଓମିକ୍ରନ ଭୟ । ଓଡ଼ିଶାରେ ୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର । ବଢୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ବଡଦିନ ଓ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି । ଆସନ୍ତା ୨୫ ଡିସେମ୍ବରରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଜନ ସମାବେଶ, ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରିଛନ୍ତି ରାଜ୍ୟ ସରକାର । ତେବେ ନୂଆ ଗାଇଡଲାଇନରେ ବାହାଘରକୁ ନେଇ ବଡ ନିଷ୍ପତ୍ତି ନିଆଯାଇଛି । ବାହାଘର ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବ ପାଳନ ଉପରେ ରୋକ ଲଗାଇଛନ୍ତି ସରକାର । ସେହିଭଳି ବାହାଘର ପାଇଁ ଅନୁମତି ଥିଲେ ମଧ୍ୟ ରିସେପସନ ପାର୍ଟି ଓ ଭୋଜିଭାତ ଉପରେ ରୋକ ଲଗାଯାଇଛି । କୌଣସି ସାମୁହିକ ଭୋଜି ଆୟୋଜନ କରାଯାଇପାରିବ ନାହିଁ । ଏପରିକି ବାହାଘରରେ ଭିଡ଼ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ କୋଭିଡ ଗାଇଡଲାଇନ ଅନୁଯାୟୀ, ଅନ୍ତ୍ୟେଷ୍ଟ୍ରି କ୍ରିୟା କରାଯାଇପାରିବ ବୋଲି କୁହାଯାଇଛି । ସେହିଭଳି ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । କ୍ଲବ, ରେଷ୍ଟୁରାଣ୍ଟ, ପାର୍କ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି । କଟକଣା ଉଲ୍ଲଂଘନ କଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଅତିରିକ୍ତ କଟକଣା ଜାରି କରିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।