ମହାମାରୀ କରୋନା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ରାସ୍ତାକଡ଼ର ଉଠା ଦୋକାନୀ । କରୋନା ପାଇଁ ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଉଠାଦୋକାନୀଙ୍କ ଜୀବନ ଜୀବିକାରେ ସୁଧାର ଆଣିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ରାସ୍ତା କଡ଼ର ଉଠା ଦୋକାନୀଙ୍କୁ ପ୍ରଦାନ କରାଯିବ ୩ ହଜାର ଟଙ୍କାର ସହାୟତା ରାଶି । ଏ ନେଇ ଭର୍ଚୁଆଲରେ ଆଜି ଦିନ ୧୧ଟା ୩୦ ମିନିଟରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରାୟ ୧ ଲକ୍ଷ ୧ ହଜାର ଉଠା ଦୋକାନୀ ଏହାଦ୍ୱାରା ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ଆଜି ଏହି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଅବସରରେ କୋଭିଡ୍ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ସେ କହିଥିଲେ ଯେ, ଉଠା ଦୋକାନୀମାନେ ଅଧିକ ସତର୍କ ରହିବା ସହ ନିୟମ ସଠିକ ରୂପେ ପାଳନ କରନ୍ତୁ । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି ନବୀନ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ । ୭୦ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ । ଏଥିପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।