ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ । ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକ । ରାମକୃଷ୍ଣ ପଟ୍ଟନାୟକ ଅର୍ଥମନ୍ତ୍ରୀ ସହ ଏକାଧିକ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଗଞ୍ଜାମ କୋଦଳାରୁ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ପାୱାରଫୁଲ ମନ୍ତ୍ରୀ ଥିବା ରାମକୃଷ୍ଣ ନବୀନ ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ । ଏପରିକି ୧୯୯୬ରୁ ୧୯୯୭ ଯାଏଁ ବିରୋଧୀ ଦଳ ନେତା ରହିଥିଲେ ରାମକୃଷ୍ଣ । ତେବେ ୨୦୧୪ରେ ରାମକୃଷ୍ଣ ବିଜେପିରେ ସାମିଲ ହୋଇଥିଲେ ।
୧୯୭୧ରେ ପ୍ରଥମ ଥର ପାଇଁ ଉତ୍କଳ କଂଗ୍ରସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । ପରେ କୋଦଳାରୁ ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ ରାମକୃଷ୍ଣ ।