ନିର୍ବାଚନ ଯେତେ ପାଖେ ଆସୁଛି ହିଂସା ଘଟଣା ବଢ଼ିବାରେ ଲାଗିଛି । ଦିଲ୍ଲୀର ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ ପରେ ଆଜି ପଞ୍ଜାବର ଲୁଧିଆନା କୋର୍ଟ ବିଲଡିଂ ପରିସରରେ ଘଟିଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳାଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସମୟରେ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ କିଛି ବୁଝି ନପାରି ଡରରେ ଏଣେତେଣେ ଦଉଡିବାକୁ ଲାଗିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୨ୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହି ଜବରଦସ୍ତ ବିସ୍ଫୋରଣରେ ୬ ମହଲା ବିଶିଷ୍ଟ କୋଠାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଗୋଟେ କାନ୍ଥ ଭୁଶୁଡି ପଡ଼ିଛି । ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ତେବେ ଏହି ବିସ୍ଫୋରଣ ପଛରେ ଦେଶ ବିରୋଧୀ ଶକ୍ତିଙ୍କ ହାତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି କହିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ପରିସ୍ଥିତି ବିଗାଡିବା ପାଇଁ ବିରୋଧୀ ଏଭଳି ଷଡ଼ଯନ୍ତ୍ର କରୁଥିବା ସେ କହିଛନ୍ତି । ଲୁଧିଆନାର ପୋଲିସ କମିଶନର ଜିପିଏସ୍ ଭୁଲ୍ଲର ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି ।