ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅଂଚଳରେ ଏକ ଅଘଟଣ ଘଟିଛି । ଗଦା ମରା ହୋଇ ରହିଥିବା ଧାନ ଫସଲରେ ନିଆଁ ଲାଗି ୧୮ ଗୋଟି ପରିବlରର ୬୮ ଏକର ଧାନ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ନପହଞ୍ଚିବାରୁ ଚାଷୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। କ୍ଷୟକ୍ଷତି ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ହିନ୍ଦୋଳ ପୋଲିସ ସହିତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ । କ୍ଷୟକ୍ଷତିର ପ୍ରକୃତ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନରତ ଚାଷୀମାନେ ରାସ୍ତା ଅବରୋଧରୁ ହଟି ଥିଲେ । ଘଟଣାରୁ ଜଣାଯାଇଛି ଯେ, ଗତ ୨- ୩ ଦିନ ତଳେ ହିନ୍ଦୋଳ ଏନଏସି ୩ ନଂ ୱାର୍ଡ ଚମ୍ପତି ସାହିର ଚାଷୀମାନେ ମିଳି ମିଶି ନିଜ ନିଜର କ୍ଷେତ ମାନଙ୍କରୁ ଧାନ କାଟି ବିଡାଗୁଡିକୁ ରାସ୍ତା ପାର୍ଶ୍ଵରେ ପୃଥକ ପୃଥକ ଗଦା କରି ମେସିନ ସାହାଯ୍ୟରେ କାଟିବା ପାଇଁ ରଖିଥିଲେ। ତେବେ ଗତକାଲି ଦ୍ୱିପ୍ରହରରେ କୌଣସି ପ୍ରକାରେ ଅଗ୍ନିକାଣ୍ଡ ଘଟି ଧାନ ବିଡା ହୁତୁ ହୁତୁ ହୋଇ ଜଳୁଥିବା ଦେଖି ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ନପହଞ୍ଚିବାରୁ ଚାଷୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚି ନିଆଁ ଲିଭାଇବା ବେଳକୁ ଚାଷୀ ମାନଙ୍କର ଧାନ ଫସଲ ପୋଡି ପାଉଁଶ ହୋଇଯାଇଥିଲା। ଏହାକୁ ବିରୋଧ ଅଞ୍ଚଳବାସୀଙ୍କ ସମେତ ଜମି ଚାଷୀ ପାଟିତୁଣ୍ଡ କରିବା ସହ ପାର୍ଶ୍ୱରେ ଯାଇଥିବା ହିନ୍ଦୋଳ – ମଇଧରପୁର ରାସ୍ତାକୁ ଅବରୋଧ କରି କ୍ଷୟକ୍ଷତି ଦାବି କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁ ଚାଷୀ ସୁକାନ୍ତ ନାୟକ, ନିରୋଦ ସାହୁ, ରଞ୍ଜନ ସାହୁ, ସୁକୁମାରୀ ସାମଲ, ମଦନ ନାୟକ, ମୁରଲୀଧର ନାୟକ, ଅମରି ଦେହୁରୀ, ବିନ ଦେହୁରୀ, ସୁବାସ ପାଳ, ଅଶ୍ୱିନୀ ମହାପାତ୍ର ପ୍ରମୁଖ ୧୮ ଜଣ ଚାଷୀଙ୍କ ୬୮ ଏକରରୁ ଉର୍ଦ୍ଧ୍ବ ଜମିର ଧାନ ଫସଲ ପୋଡି ନଷ୍ଟ ହୋଇ ଯାଇଛି। ହିନ୍ଦୋଳ ପୋଲିସ ସହିତ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ କ୍ଷୟକ୍ଷତିର ପ୍ରକୃତ ଆକଳନ କରିବା ପରେ ସରକାରୀ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନରତ ଚାଷୀମାନେ ରାସ୍ତା ଅବରୋଧରୁ ହଟିଥିଲେ।