ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବରକାଗଜ ହକରମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକରମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ହକରମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ଏପରିକି କୋଭିଡ୍ ପରିସ୍ଥିତିକୁ ହକରମାନେ ପଛରେ ପକାଇ କାମ କରିଚାଲିଛନ୍ତି । ତେଣୁ ହକରମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ଯୋଗାଇ ଦିଆଯାଉଛି । ଏହା ସହିତ ହକର ମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି ।