ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ବଢିଛି । କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କୁ ସତର୍କ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦରକାର ନଥିଲେ ଘରୁ ନ ବାରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି । ବୁଧବାର ଗରୀବ ଲୋକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଏମିତିରେ ରାଜ୍ୟରେ ଦୁଇ ଜଣ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେବାର ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ତେବେ ଏ ନେଇ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା କଟକଣାକୁ ବଢାଇବାକୁ ସବୁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।