୨୪ ଘଣ୍ଟା ବିଦ୍ୟୁତ୍ ଦରକାର ତ ରାଧେରାଧେ କୁହ । ବିନା ବ୍ୟବଧାନରେ ବିଜୁଳୀ ଦରକାର ତ ରାଧେରାଧେ କୁହ । ଯେତେ ଜୋରରେ ରାଧେରାଧେ ଜପିବ ସେତେ ଅଧିକ କରେଣ୍ଟ ଆସିବ । ଆଉ ଯିଏ ରାଧେରାଧେ ନ କହିବ ତାର ବିଦ୍ୟୁତ୍ କଟ୍ ହୋଇଯିବ । ଏଭଳି ଅଜବ ବୟାନ ଦେଇଛନ୍ତି ୟୁପିର ଶକ୍ତିମନ୍ତ୍ରୀ ଶ୍ରୀକାନ୍ତ ଶର୍ମା । ଆଉ ଅଳ୍ପ ଦିନ ରହିଲା ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ । ଲୋକଙ୍କ ବିଶ୍ୱାସଭାଜନ ହୋଇ ବହୁମାତ୍ରାରେ ବିଜୟ ପାଇଁ ଜୋରସୋରରେ ଲାଗିପଡ଼ିଛି ବିଜେପି ସରକାର । ୟୁପି ଶକ୍ତିମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ହାତରସ୍ର ସାଦାବାଦଠାରେ ଜନସାଧାରଣଙ୍କୁ ଏକ ଅଜବ ବୟାନ ଦେଇ କହିଛନ୍ତି ୨୪ଘଣ୍ଟା ବିଜୁଳୀ ଦରକାର ତ ରାଧେରାଧେ କୁହ । ଆଉ ରାଧେରାଧେ ନକହିଲେ ବିଦ୍ୟୁତ୍ କଟ୍ ହୋଇଯିବ । ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ପୁଣି କହିଛନ୍ତି ଯଦି ବିଜେପି ସରକାରକୁ ଆସେ ସାଦାବାଦରେ ଆଦୌ ବିଦ୍ୟୁତ୍କାଟ୍ ହେବ ନାହିଁ । ଏହାବ୍ୟତୀତ ବିଜେପି ସମସ୍ତଙ୍କୁ ମାଗଣା ରାସନ୍ ଦେବା ସହିତ ମା’ଭଉଣୀଙ୍କୁ ସୁରକ୍ଷା ଯୋଗାଇ ଦେଉଛି । ଏପରିକି ୩୭୦ ଧାରା ହଟାଇବା ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଦେଲା । ଯୋଗୀ ସରକାରଙ୍କ ମନ୍ତ୍ରୀ ଶର୍ମା କହିଛନ୍ତି ଗତ ନିର୍ବାଚନ ଭଳି ଏଥର ନିର୍ବାଚନରେ ପ୍ରତି ଘରେ ଘରେ ପଦ୍ମଫୁଲ ଫୁଟିବା ଦରକାର ଏବଂ ଆପଣମାନଙ୍କୁ ପଛର ରେକର୍ଡ ଭାଙ୍ଗିକି ଦେଖାଇବାକୁ ପଡ଼ିବ ।