ଓଡ଼ିଶାରେ ଓମିକ୍ରନ । ପ୍ରଥମ ଥର ପାଇଁ ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ନାଇଜେରିଆ ଓ କାତାରରୁ ଫେରିଥିଲେ । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ)ର ଅଜୟ ପରିଡା ସୂଚନା ଦେଇଛନ୍ତି ।୨ ସଂକ୍ରମିତ କଟକ ଓ ଜଗତସିଂହପୁର ଜିଲ୍ଲାର । ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। ପ୍ରଥମେ ଏହା ବିଦେଶରୁ ଚିହ୍ନଟ ହେଉଥିଲେ, ବର୍ତ୍ତମାନ ଏହା ଧିରେ ଧିରେ ଓଡିଶାରେ ପ୍ରବେଶ କଲାଣି। ଓଡିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଲୋକଙ୍କ ମନରେ ଭୟ ବଢିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୁରୁକି ଗ୍ରାମରେ ବାହାରିଲା ଓଡିଶାର ପ୍ରଥମ ଓମିକ୍ରନ ଭାଇରସ୍ | ସମ୍ପୃକ୍ତ ଯୁବକ ଗତ 15 ତାରିଖ କାତାରରୁ ଫେରିଥିଲେ | ତାଙ୍କୁ ସେହି ଦିନ କରୋନା ଟେଷ୍ଟ କରାଯାଇଥିଲା | 17 ତାରିଖରେ ତାଙ୍କର କରୋନା ପଜେଟିଭ ବାହାରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ପାରାଦୀପ୍ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ତାଙ୍କର ଓମିକ୍ରନ ବାହାରିଥିବା ଆଜି ସୂଚନା ମିଳିଛି | ଯାହାକୁ ନେଇ ନାଉଗାଁ ସହିତ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଆତଂକ ଖେଳିଯାଇଛି | ରାଜ୍ୟରେ କଟକଣାକୁ ଆହୁରି କଡାକଡି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଦେଶରେ ପ୍ରତିଦିନ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା 200 ପାର ହେଲା । କେବଳ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ 54 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣେ ଓମିକ୍ରନ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିଭଳି ତେଲେଙ୍ଗାନାରେ 20, କର୍ଣ୍ଣାଟକରେ 19, ରାଜସ୍ଥାନରେ 18, କେରଳରେ 15, ଗୁଜରାଟରେ 14, ଉତ୍ତରପ୍ରଦେଶରେ 2, ଓଡିଶାରେ 2 ଏବଂ ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠାରୁ ଆଶ୍ବସ୍ତିକର ଖବର ହେଲା 200 ରୋଗୀଙ୍କ ମଧ୍ୟରୁ 77ଜଣ ସୁସ୍ଥ ହୋଇଗଲେଣି ।