ସ୍ବର୍ଗତଃ ରାଜନେତା ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ୮୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ବେଦପ୍ରକାଶ ସ୍ମୃତି ପରିଷଦ ପକ୍ଷରୁ ଅଧ୍ୟକ୍ଷା ତଥା ବେଦପ୍ରକାଶଙ୍କ ଝିଅ ମଧୂମିତା ଅଗ୍ରଓ୍ବାଲାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରାପଡା ଟାଉନ୍ ହଲଠାରେ ଏହି ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ବିଜେଡିର ରାଜ୍ୟସଭା ସାଂସଦ ସୁବାସ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲା ବେଳେ କେନ୍ଦ୍ରାପଡା ଓ ପାଟକୁରା ନିର୍ବାଚନ ମଣ୍ଡଳୀର ବେଦପ୍ରକାଶଙ୍କ ଅନୁଗତମାନେ ଯୋଗଦେଇ ଏହି ଦିବଙ୍ଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ । ହେଲେ ଏହି ବୈଠକରେ ଦେଖିବାକୁ ମିଳିଥିବା ଏକ ବ୍ୟତିକ୍ରମ ଏବେ ସାରା ଜିଲ୍ଲାରେ ରାଜନୈତିକ ଚର୍ଚ୍ଚାର ଖୋରାକ ଯୋଗାଇଛି । ବେଦପ୍ରକାଶଙ୍କ ଜନ୍ମ ସ୍ଥାନଠାରୁ ମାତ୍ର ୨୦୦ ମିଟର ଦୂରରେ ଅଧ୍ୟକ୍ଷା ମଧୂମିତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ତାଙ୍କ ବିଧାୟିକା ମା ସାବିତ୍ରୀ ଅଗ୍ରଓ୍ବାଲା ଓ ତାଙ୍କ ଭାଇ ସଞ୍ଜୟ ଅଗ୍ରଓ୍ବାଲାଙ୍କୁ ଏହି ମଞ୍ଚରେ ଦେଖିବାକୁ ମିଳିନଥିଲା । ସ୍ୱାମୀଙ୍କ ସ୍ମୃତି ସଭାରେ ସ୍ତ୍ରୀ ଓ ପୁଅ ଅନୁପସ୍ଥିତ ରହିବା ଘଟଣାକୁ ନେଇ ରାଜନୈତିକ ସମୀକ୍ଷକମାନେ ନାନା କଳ୍ପନା ଜଳ୍ପନା କରିବା ଆରମ୍ଭ କରିଛନ୍ତି । ବେଦପ୍ରକାଶଙ୍କ ଉତ୍ତରାଧିକାରୀ କିଏ , ତାଙ୍କ ପୁଅ ନା ଝିଅ ବୋଲି ଆଲୋଚନା ହେଉଛି । ମଧୂମିତାଙ୍କ ମା ସାବିତ୍ରୀ ଅଗ୍ରଓ୍ବାଲା ପାଟକୁରା ବିଧାୟିକା ଥିବାବେଳେ ମଧୂମିତାଙ୍କ ଭାଇ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ଏହି ଉତ୍ସବକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଅତିଥି ଭାବେ ନିମନ୍ତ୍ରଣ ରହିଥିବା ବେଳେ ଏପରି ଏକ ସମ୍ଭାବ୍ୟ ବିବାଦରୁ ନିଜକୁ ଦୂରେଇ ରଖିବାକୁ ଯାଇ ସେ ଉତ୍ସବକୁ ଆସି ନଥିବା ଆଲୋଚନା ହେଉଛି । ଏହା ବେଦପ୍ରକାଶଙ୍କର ନିକଟତମ ଲୋକଙ୍କ ପ୍ଲାଟଫର୍ମ ହୋଇଥିବାରୁ ଏହାକୁ ଏକ ରାଜନୈତିକ ପ୍ଲାଟଫର୍ମର ତୁଳନା କରୁଛନ୍ତି ରାଜନୈତିକ ସମୀକ୍ଷକ ମାନେ । ବେଦପ୍ରକାଶଙ୍କର ଏହି ପ୍ରଥମ ଆନୁଷ୍ଠାନିକ ସ୍ମୃତିକମିଟି ଉତ୍ସବରେ ଦଳରେ ରାଜନୈତିକ ଓ ପାରିବାରିକ ବିଦ୍ରୋହର ବାସ୍ନା ଜଳଜଳ ହୋଇ ବାରିହେଉଛି । ଏହାଦ୍ବାରା ବେଦପ୍ରକାଶଙ୍କ ଆତ୍ମା କିଭଳି ଶାନ୍ତି ପାଇବ ବୋଲି ଚର୍ଚ୍ଚା ହେଉଛି । ଯେଉଁମାନେ ଏହି ଉତ୍ସବକୁ ପାଳନ କଲେ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟ କ’ଣ ବା କିପରି ସାଧିତ ହୋଇପାରିବ ସେମାନେ ହିଁ କେବଳ କହିପାରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।