କେରଳରେ ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଜଣ ନେତାଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ କେରଳ ଅଲାପୁଜ୍ଜା ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଅଲାପୁଜ୍ଜା ଜିଲ୍ଲାରେ ବିରୋଧୀ ବିଜେପିର ଜଣେ ନେତା ଏବଂ ସୋସିଆଲ ଡେମୋକ୍ରେଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ )ର ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଅଲାପୁଜ୍ଜାରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ରବିବାର ସକାଳେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ମୃତକ ବିଜେପି ନେତା ରଞ୍ଜିତ ଶ୍ରୀନିବାସ ବୋଲି ଜଣାପଡ଼ିଛି । ସେ ବିଜେପି ଓବିସି ମୋର୍ଚ୍ଚାର ସଚିବ ଥିଲେ । ସୂଚନା ଅନୁସାରେ ସକାଳେ କିଛି ଲୋକ ଶ୍ରୀନିବାସଙ୍କ ଘର ଭିତରେ ପଶି ତାଙ୍କୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସୋଶିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ନେତା କେଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା । କେଏସ୍ ଶାନ କାର ଯୋଗେ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କୋଚିର ଏକ ହସ୍ପିଟାଲ୍ ରେ ଭର୍ତି ହୋଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ହତ୍ୟା ପଛରେ ଆରଏସ୍ଏସକୁ ଦାୟୀ କରିଥିଲା ଏସଡିପିଆଇ । କେଏନ୍ ଶାନଙ୍କ ହତ୍ୟା ପ୍ରତିଶୋଧରେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି ।