ପଞ୍ଜାବର ଅମ୍ରିତସର ସ୍ୱର୍ଣ୍ଣ ମନ୍ଦିରର ପବିତ୍ର ସ୍ଥଳରେ ହିଂସାକୁ ନେଇ ସାରାଦେଶରେ ଚହଳ ସୃଷ୍ଟି ହୋଇଛି । ଶିଖଙ୍କ ପବିତ୍ର ଧର୍ମସ୍ଥଳ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ପ୍ରାର୍ଥନାବେଳେ ବାଡ ଡେଇଁ ଗୁରୁଗ୍ରନ୍ଥ ସାହିବ ନିକଟରେ ଥିବା ଖଣ୍ଡା ଉଠାଇବାକୁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି ଲୋକେ । ଗତକାଲି ସନ୍ଧ୍ୟାରେ ମନ୍ଦିରରେ ଏପରି ଘଟଣା ଘଟିଥିବା ଜଣାପଡିଛି । ହତ୍ୟାର ଶିକାର ଯୁବକ ଉତର ପ୍ରଦେଶର ଏବଂ ତାଙ୍କ ବୟସ ୨୪ରୁ ୨୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି ।
ପବିତ୍ର ଗୁରୁଗ୍ରନ୍ଥ ସାହିବ ପାଖରେ ଥିବା କୃପାଣ ଉଠାଇବାକୁ ଯୁବକ ଜଣଙ୍କ ପ୍ରୟାସ କରିବାରୁ ପାଖରେ ଥିବା ଲୋକେ ସଙ୍ଘବଦ୍ଧ ଭାବେ ପିଟିପିଟି ଯୁବକଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଉତେଜନା ଦେଖାଦେଇଛି । ଏହାପରେ ଶତାଧିକ ଲୋକ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଅମୃତସର ଡିସିପି କହିଛନ୍ତି ଯୁବକଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମନ୍ଦିର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଂଚ କରୁଛି । ଯୁବକ ଜଣଙ୍କ କେତେବେଳେ ମନ୍ଦିରରେ ପ୍ରବେଶ କରିଥିଲେ । ତାଙ୍କୁ କେତେଜଣ ପିଟିଥିଲେ ପୋଲିସ ତଦନ୍ତ କରୁଛି ।