ଦୁର୍ନୀତିର ଡିଆଁ ବେଙ୍ଗ ଡେଉଁଛି ଇନ୍ଦାଳରେ.. ଡେଇଁ ଡେଇଁ ଏତେ ହାଲିଆ ଓ ଭୋକିଲା ହେଇଗଲାଣି ଯେ ଭୋକ ମେଂଟେଇବା ପାଇଁ ଲୋକଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କାକୁ ବି ଖାଇ ହଜମ କରିଦେଉଛି | ଘଟଣାଟି ଏହିଭଳି କି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି | ଇନ୍ଦାଳର ନାନକାର ଗ୍ରାମର 70 ବର୍ଷୀୟା ଵୃଦ୍ଧା କୌଶଲ୍ୟା ପ୍ରଧାନ ଗତବର୍ଷ ଅକ୍ଟୋବର ମାସରେ କୋଭିଡରେ ମୃତ୍ୟୁବରଣ କରିଥିଲେ | କିନ୍ତୁ ତାଙ୍କର ହରିଶ୍ଚନ୍ଦ୍ର ଯୋଜନାରେ ମିଳିବାକୁ ଥିବା ଦୁଇ ହାଜର ଟଙ୍କା ତାଙ୍କ ପୁଅ ମନୋରଞ୍ଜନ ପ୍ରଧାନଙ୍କ ନାମରେ ଅନୁମୋଦିତ ହୋଇଛି ସତ, କିନ୍ତୁ ସେହି ଅର୍ଥ ରାଶି ପାଇନାହାନ୍ତି ମୃତ କୌଶଲ୍ୟାଙ୍କ ପରିବାର ଲୋକେ | ଉକ୍ତ ଟଙ୍କା ମୃତ୍ୟୁର 10 ଦିନ ଭିତରେ ସରପଞ୍ଚଙ୍କ ଦ୍ୱାରା ମୃତକଙ୍କ ପରିବାର ପାଇବା କଥା, କିନ୍ତୁ ଏଯାଏଁ ମିଳିନାହିଁ | ସେହିଭଳି ଗ୍ରାମର ଆଉ ଜଣେ ବାସିନ୍ଦା ବିନୋଦ କାଣ୍ଡି ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୃତ ବାପାଙ୍କ ନିମନ୍ତେ ମିଳିବାକୁ ଥିବା ହରିଶ୍ଚନ୍ଦ୍ର ଯୋଜନା ଟଙ୍କାର ସେ ଅଧେ ଟଙ୍କା ପାଇଛନ୍ତି ଆଉ ପ୍ରାପ୍ୟ ବାକି ଅଛି | ଏହି ସବୁର ତଥ୍ୟ “ଇ-ସ୍ୱରାଜ ଆପ୍ସ” ରେ ଦେଖିଲେ ସ୍ପଷ୍ଟ ହେଇଯାଉଛି ଯେ ମୃତକଙ୍କ ପରିବାର କହୁଥିବା କଥା ସତ | ତେବେ ଏଠି ପ୍ରଶ୍ନ ଉଠେ, ଯଦି ଅଭିଯୋଗକାରିଙ୍କ ଅଭିଯୋଗରେ ତଥ୍ୟ ଭିତିକ ସତ୍ୟତା ଅଛି ତେବେ ଦୁର୍ନୀତିର ଗନ୍ଧ ସିଧାସଳଖ ବାରି ହେଇପଡୁଛି ଇଣ୍ଡାଳ ଗ୍ରାମ ପଂଚାୟତରେ | ତେବେ ଏହି ଦୁର୍ନୀତିର ଡିଆଁବେଙ୍ଗଟି କିଏ ? ଆଉ ପୁଣି କିଏ ଏହି ହରିଶ୍ଚନ୍ଦ୍ର ଯୋଜନାକୁ ହରିଲୁଟ କରିଛି ଦେଖିବାକୁ ବାକି ରହିଛି |