ସିଡିଏସ ଜେନେରାଲ ବିପିନ ରାୱତଙ୍କ ଚପ୍ପର ଦୁର୍ଘଟଣାର ଏକ ମାତ୍ର ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ବୁଧବାର ନିଧନ ହୋଇଯାଇଛି । ବେଙ୍ଗାଲୁରରେ ଚିକିତ୍ସା ଚାଲିଥିଲାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି । କ୍ୟାପଟେନ ବରୁଣ ସିଂ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ବାୟୁସେନାର ଟ୍ବିଟ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇଛି । ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ 13 ଜଣଙ୍କର ମୃତ୍ୟୁ ହୋଇଥିଲା । ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଏକମାତ୍ର ଜୀବିତ ଉଦ୍ଧାର ହୋଇଥିଲେ । ଉଦ୍ଧାର ପରେ ଉନ୍ନତ ଚିକିତ୍ସା ପାଇଁ ବରୁଣ ସିଂଙ୍କୁ ତାମିଲନାଡୁର ୱେଲିଙ୍ଗଟନରୁ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଶରୀରର 70% ଜଳି ଯାଇଥିବାରୁ ତାଙ୍କ ଅବସ୍ଥା ବହୁ ସଙ୍କଟାପର୍ଣ୍ଣ ରହିଥିଲା। ଗତ 7 ଦିନ ଧରି ସେ ଜୀବନ ଯୁଦ୍ଧରେ ଲଢ଼େଇ କରିଆସୁଥିଲେ। ଚଳିତ ବର୍ଷର ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାପଟେନ ବରୁଣ ସିଂଙ୍କୁ ଶୌର୍ଯ୍ୟ ଚକ୍ରରେ ପୁରସ୍କୃତ କରିଥିଲେ। ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଏହି ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ତହସିଲର କାନହୋଲି ଗାଁର ବାସିନ୍ଦା ଥିଲେ କ୍ୟାପ୍ଟେନ ବରୁଣ ସିଂହ । ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଧମାନ ହେଉଛନ୍ତି ତାଙ୍କ ବ୍ୟାଚମେଟ୍ । ବରୁଣଙ୍କ ପିତା ମଧ୍ୟ ସେନାରେ ସାମିଲ ଥିଲେ । ସେ କର୍ଣ୍ଣଲ ପଦରୁ ଅବସର ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାପଟେନ ବରୁଣ ସିଂଙ୍କ ନିଧନରେ ସମବେଦନା ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ପରଲୋକରେ ମୁଁ ଗଭୀର ଦୁଃଖୀତ | ଦେଶ ପାଇଁ ତାଙ୍କର ଅଦମ୍ୟ ସେବା କଦାପି ଭୁଲିହେବ ନାହିଁ |