ସଞ୍ଜୟ ଦାସବର୍ମାଙ୍କ ସହଯୋଗୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ରୁଜୁ ହୋଇଛି ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁ ରହସ୍ୟରୁ ଉଠାଇବ ପରଦା । ଏନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ l ପୁରୀ ଜିଲ୍ଲା ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର ଅନେକ ଦିଗକୁ ନେଇ ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ ପାଇଁ ଆଜି ପୁରୀ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଜିପିଙ୍କ ନିର୍ଦ୍ଦେଶ ପରେ ୪ ଜଣିଆ ଟିମ୍ ଗଠନ ହୋଇଛି । ପୁରୀ ଗଡମୃଗଶିରା ବ୍ରିଜ୍ ନିକଟ ନୂଆନଈ ପଠାରୁ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାରକୁ ୨୪ ଘଣ୍ଟା ବିତିଥିବା ବେଳେ ପୋଲିସ ହାତ ଖାଲି ରହିଛି । ଘଟଣାରେ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଗତ ୧୧ ତାରିଖରେ ଚିତ୍ତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରିନଥିଲେ । ପରେ ୧୩ ତାରିଖରେ ନୂଆନଈ ନିକଟରୁ ଚିତ୍ତରଞ୍ଜନଙ୍କ ମୃତଦେହ ଜବତ ହୋଇଥିଲା । ତେବେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିଲେ ସଞ୍ଜୟ ଦାସବର୍ମା । ଏସବୁ ଭିତରେ ସଂଜୟଙ୍କ ସହଯୋଗୀ ଚିତ୍ତରଞ୍ଜନଙ୍କୁ ହତ୍ୟା ଷଡଯନ୍ତ୍ର ନେଇ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁର କାରଣ ଖୋଜିବାକୁ ଡେଥ୍ ସ୍ପଷ୍ଟରେ ତଦନ୍ତ କରିଛି ଫରେନସିକ୍ ଟିମ୍ । । ଡ୍ରୋନ୍ ମାଧ୍ୟମରେ ଭିଡିଓ ରେକର୍ଡିଂ କରିବା ସହ ଡଗ ସ୍ୱାର୍ଡ ଦ୍ୱାରା ଛାନଭିନ୍ କରିଛି ପୋଲିସ । କୁହାଯାଉଛି, ପୋଲିସର ଏହି ଛାନଭିନରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହା ଚିତରଞ୍ଜନଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସଂକେତ ଦେଉଛି ।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସଠିକ ତଦନ୍ତ ସହ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଗତକାଲି ପରିବାର ସଦସ୍ୟଙ୍କ ସହ ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ।