ଭାରତର ଲୌହ ମାନବ ବା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୭୧ତମ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ଜନ୍ମ ୩୧ ଅକ୍ଟୋବର ୧୮୭୫ରେ ଗୁଜରାଟର ଖେଡାରେ ହୋଇଥିଲା । ୧୯୫୦ରେ ଡିସେମ୍ବର ୧୫ରେ ମୁମ୍ବାଇରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ । ଦେଶକୁ ସ୍ୱାଧୀନତା ଦେବାରେ ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଯେତିକି ସ୍ୱାଧୀନ ଭାରତୁକୁ ଏକତାସୂତ୍ରରେ ବାନ୍ଧିବାର ଯୋଗଦାନ ତାଠାରୁ ବହୁଗୁଣରେ ଅଧିକ । ୧୯୪୭ ଅଗଷ୍ଟ ୧୫ରେ ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ଦେଶରେ ଛୋଟବଡ଼ ହୋଇ ୫୬୨ ରାଜ୍ୟରେ ରାଜାରାଜୁଡା ଶାସନ ଚାଲିଥିଲା । ସେଥିମଧ୍ୟରୁ ଅନେକ ସ୍ବାଧୀନ ରହିବାକୁ ନିଷ୍ପତ୍ତି କରିଦେଇଥିଲେ । କିନ୍ତୁ ସର୍ଦ୍ଦାର ପଟେଲ ଏହି ସବୁ ଛୋଟ ଛୋଟ ରାଜତନ୍ତ୍ର ରାଜ୍ୟକୁ ଦେଶରେ ମିଶାଇଥିଲେ । ସ୍ୱାଧୀନତା ପରେ ଜୁନାଗଡ଼ ଏବଂ ହାଇଦ୍ରାବାଦ୍ ଭାରତରେ ମିଶିବାକୁ ରାଜି ହୋଇନଥିଲେ, ଏହା ପଛରେ ପାକିସ୍ତାନ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଷଡଯନ୍ତ୍ର ଥିଲା । କିନ୍ତୁ ସର୍ଦ୍ଦାର ପଟେଲ ହାଇଦ୍ରାବାଦ୍କୁ ସେନା ପଠାଇ ସେଠାକାର ନିଜାମଙ୍କୁ ଆତ୍ମସମର୍ପଣ କରାଇଥିଲେ । ସେହିଭଳି ଜୁନାଗଡରେ ଜନତାଙ୍କ ବିଦ୍ରୋହରେ ବିଚଳିତ ହୋଇ ସେଠାକାର ନବାବ ଲୁଚି କରି ପାକିସ୍ତାନ ପଳାଇଥିଲେ । ସେହିଭଳି ଭୋପାଳର ନବାବ ହମିଦୁଲ୍ଲା ଖାନ୍ ମଧ୍ୟ ସର୍ତ୍ତ ରଖିଥିଲେ ତାଙ୍କ ରାଜ୍ୟ ସ୍ୱାଧୀନ ରହିବ ନଚେତ୍ ପାକିସ୍ତାନ ସହିତ ସାମିଲ ହେବ । କିନ୍ତୁ ସର୍ଦ୍ଦା ବଲ୍ଲଭ ଭାଇ ପଟେଲଙ୍କ ଯୋଗୁ ସେ ହାର୍ ମାନି ନେଇଥିଲେ । ୧ ଜୁନ୍ ୧୯୪୯ରେ ଭୋପାଳ ଭାରତର ଅଂଶରେ ପରିଣତ ହେଲା ।