ବିବାହ ପ୍ରୋସେସନ ଉପରେ କଟକଣା ଲଗାଇଲା କମିଶନରେଟ ପୋଲିସର । ରାତି ୧୦ଟା ପରେ ବିବାହ ପ୍ରୋସେସନରେ ବାଜିବନି ଡିଜେ କି ଫୁଟିବନି ବାଣ । ଭୁବନେଶ୍ୱରରେ ହେଉଥିବା ବିବାହ ଶୋଭାଯାତ୍ରାରେ ଡିଜେ ବାଜିଲେ କିମ୍ବା ବାଣ ଫୁଟିଲେ ଏଣିକି କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ । କୌଣସି ସ୍ଥାନରେ ଏହି ନିୟମ ଉଲ୍ଲଙ୍ଘନ ହେଉଥିଲେ DCP ଅଫିସ ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ କହିଲେ ଡିସିପି । 06742540294 ନମ୍ବର ଜାରି କଲା କମିଶନରେଟ ପୋଲିସ । ଯଦି କେହି ନିୟମର ଉଲ୍ଲଂଘନ କରିଥାଏ ତେବେ ତାଙ୍କ ବିରୋଧରେ ତୁରନ୍ତ ଅର୍ବାନ ପୋଲିସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।।
ବିବାହ ଋତୁ ଚାଲିଥିବା ବେଳେ କରୋନା କଟକଣା ମାନୁ ନାହାନ୍ତି ରାଜଧାନୀବାସୀ । ମନ ଇଚ୍ଛା ରାତି ତମାମ ଡିଜେ ବଜାଇ ବାଣ ଫୁଟାଇ ଧୂମ୍ ମଚାଉଛନ୍ତି । ବରିଷ୍ଠ ନାଗରିକ, ପ୍ରସୂତି ମହିଳା, ଛୋଟ ପିଲାଙ୍କୁ ସମ୍ମୁଖୀନ ହେବାକୁ ପଡୁଛି ସମସ୍ୟା ।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀରେ ବାହାଘର ଓ ଅନ୍ୟାନ୍ୟ ଉତ୍ସବ ପାଇଁ କଟକଣା ଲାଗିଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ସାମାଜିକ କାର୍ଯ୍ୟକ୍ରମ, ବିଶେଷ କରି ବିବାହ ଉତ୍ସବ ପାଇଁ ଅନୁମତି ମିଳିଛି । ହେଲେ ରାତି ୧୦ଟା ପରେ କେହି ଡିଜେ ବଜାଇ ପାରିବେ ନାହିଁ କି ବାଣ ଫୁଟାଇ ପାରିବେ ନାହିଁ ବୋଲି ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି ରାଜଧାନୀ ବାସିନ୍ଦା । ବିବାହ ଶୋଭାଯାତ୍ରା ପାଇଁ ଅନୁମତି ନେଉଥିଲେ ମଧ୍ୟ ଡିଜେ ଓ ବାଣ ଫୁଟାଉଥିବାର ଦେଖିବାକୁ ମିଳୁଛି । ଅଧିକ ମାତ୍ରାରେ ଡିଜେ ସାଉଣ୍ଡ ଓ ବିପଦଜନକ ବାଣ ରାସ୍ତା ଉପରେ ଫୁଟାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ ।