ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକର ୧୮ ଲକ୍ଷ ଲୋକ ଏବଂ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ସ୍ମାର୍ଟ କାର୍ଡର ସୁବିଧା ପାଇବେ। ଏହାସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ ବୋଲି ସେ କହିଥିଲେ । ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କଟକ ଏସସିବି ମେଡିକାଲ କଲେଜ ଏକ ମାଇଲ ଖୁଣ୍ଟ ହୋଇ ରହିବ। ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସ୍ଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ।
ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧା ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି। ଓଡିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଜାତିକୁ ତାର ହକ୍ ଦେବା ପାଇଁ ଆମର ଲଢେଇ ଜାରି ରହିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମାମାନେ ହେଉଛନ୍ତି ନୂଆ ଯୁଗର ସାରଥୀ । ଖୋର୍ଦ୍ଧାର ମିଶନ ଶକ୍ତିର ମାମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଖୋର୍ଦ୍ଧାରେ ୨୬ ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉଭୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କଟକରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।