ମାମୁ ଭଣଜା ସମ୍ପର୍କ କାହିଁ କେଉଁ କାଳରୁ ବଦନାମ ହୋଇଆସିଛି । ଯେମିତି ଭଗବାନ କୃଷ୍ଣଙ୍କ ମାମୁ ଥିଲେ କଂସ, କୌରବଙ୍କ ମାମୁ ଥିଲେ ଶକୁନି । ଦୁଇ ମାମୁଙ୍କ ପାଇଁ ହିଁ ମହାଭାରତ ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଭଣଜା କିଭଳି ତା ମାମୁଁର ବିଶ୍ୱାସରେ ବିଷ ଦେଲା ତାହା ଜଣାଇବୁ । ତେବେ ମଦ ବୋତଲରେ ବିଷ ଦେଇ ମାମୁଁଙ୍କୁ ହତ୍ୟା କଲା ଭଣଜା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା । ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର ହେଲା ପର୍ଦାଫାସ । ନୟାଗଡ ଜିଲ୍ଲାର ପଟିଆମାଳ ପଞ୍ଚାୟତର କେନ୍ଦୁଆ ଜଙ୍ଗଲ ମଧ୍ୟରେ ମଦ ବୋତଲରେ ବିଷ ପୁରାଇ ପିଇବାକୁ ଦେଇ ଦେଲା ଭଣଜା । ଆଉ ସେହିଠାରେ ହିଁ ମାମୁଁ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ପଡିଲେ । ଭଣଜା ସେଠାରୁ ଚମ୍ପଟ ମାରିଲା । ଚାନ୍ଦପୁର ପୋଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁକରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣି ପାରିଲା । ମୃତ ମାମୁଁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ହରିକୁଣ୍ଡବରଡି ଗ୍ରାମର ବ୍ରଜ ବିଶ୍ୱାଳ ଏବଂ ହତ୍ୟାକାରୀ ଭଣଜା ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଗ୍ରାମର ନବ ପ୍ରଧାନ । ନବଙ୍କ ସମ୍ପର୍କୀୟ ପୁତୁରା ଶିବ ସାହୁ ମଧ୍ୟ ଏହି ହତ୍ୟାକାଣ୍ଡରେ ତାଙ୍କୁ ସହଯୋଗ କରିଥିଲେ । ଚାନ୍ଦପୁର ପୋଲିସ ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଦୁହେଁ ଏକ ବାଇକ ଯୋଗେ ମୃତ ବ୍ରଜ ବିଶ୍ୱାଳଙ୍କୁ ମଦ ପିଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇଥିଲେ ।