ଡିମ୍ପଲଙ୍କୁ ଛାଡି ତାଙ୍କ ସ୍ୱାମୀ ସୁମିତ ଫେରାର ହୋଇଯାଇଛନ୍ତି । ସୁମିତ ଫେରାର ହେବା ନେଇ ଡିମ୍ପଲ ଆଜି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ତାଙ୍କ ସ୍ଵାମୀ ତାଙ୍କୁ ଏକା ଚଡି କୁଆଡେ ଚାଲି ଯାଇଛନ୍ତି ବୋଲି ସେ କହିଛନ୍ତି। ସ୍ଵାମୀ ସୁମିତ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିଥିବାରୁ ସେ ସୋମବାର କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି । ଭଡ଼ା ଘର ନୁହେଁ, ସ୍ଵାମୀଙ୍କ ଘରେ ରହିବାକୁ ଦାବି କରିବେ ବୋଲି କହିଛନ୍ତି ତପସ୍ଵିନୀ। ଅନ୍ୟପକ୍ଷରେ ଫେରାର ହୋଇନାହାନ୍ତି ଡାକ୍ତର ସୁମିତ । ତାଙ୍କ ଦେହ ଖରାପ ଯୋଗୁଁ ସେ ଏବେ ବାଲିଶରାରେ ସାଙ୍ଗ ଘରେ ବିଶ୍ରାମ ନେଉଛନ୍ତି । ୫ ଦିନ ଛୁଟିରେ ଅଛନ୍ତି ବୋଲି ସୁମିତ୍ ଙ୍କ ଓକିଲ କହିଛନ୍ତି । ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲଙ୍କ କାହାଣୀ ଏକ ନୂଆ ମୋଡ଼ ନେଇଛି । ଆସିକା ଚିନିକଳ ଆଇବିରେ ଡିମ୍ପଲଙ୍କୁ ଏକାକୀ ଛାଡ଼ି ସ୍ୱାମୀ ଡାକ୍ତର ସୁମିତ କୁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଡିମ୍ପଲ । ସୁମିତ ସାଙ୍ଗ ଘରେ ଥିବା ନେଇ ସୂଚନା ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲ । ସ୍ୱାମୀ କୋର୍ଟଙ୍କ ଅବମାନା କରିଛନ୍ତି, ତେଣୁ କୋର୍ଟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି । ଦେହ ଖରାପ ହେଲେ ସାଙ୍ଗ ଘରେ ନୁହେଁ, ମେଡିକାଲରେ ରହିବା କଥା ବୋଲି ସେ କହିଛନ୍ତି । ସ୍ତ୍ରୀକୁ ଭଡାଘରେ ରଖି ସ୍ତ୍ରୀର ଯାବତୀୟ ଖର୍ଚ୍ଚକୁ ବହନ କରିବାକୁ ସ୍ୱାମୀ ସୁମିତକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମାନିବେ ବୋଲି କହିଥିଲେ ସୁମିତ, ଏବେ କାହିଁକି ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।ବର୍ତ୍ତମାନ ଡିମ୍ପଲ ଆସିକା ଚିନିକଳ ଆଇବିରେ ଏକା ଅଛନ୍ତି ।