ମୁମ୍ବାଇରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଶୁକ୍ରବାର ଓମିକ୍ରନର ୭ଟି ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ୧୭ଟି ‘ଓମିକ୍ରନ୍’ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ମହାରାଷ୍ଟ୍ର ସରକାର ଚିନ୍ତାରେ ପଡିଯାଇଛନ୍ତି । ଫଳରେ ଆଜି ଏବଂ ଆସନ୍ତାକାଲି ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି କରାଯାଇଛି। ଏଥିସହ ସଂକ୍ରମଣ ବିସ୍ତାର ରୋକିବା ଲାଗି ମୁମ୍ବାଇରେ ରାଲି, ସମାବେଶ ଉପରେ ଲଗାଯାଇଛି କଟକଣା । ନିଷେଧାଦେଶ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସତର୍କ କରି ଦେଇଛି।
ମହାରାଷ୍ଟ୍ରରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଏଥିରେ ଜଣେ ସାଢ଼େ ୩ ବର୍ଷର ଶିଶୁ ଆକ୍ରାନ୍ତ ହୋଇଥିବା ଘଟଣା ଆହୁରି ଚିନ୍ତା ବଢ଼ିଛି । ସେଥିରୁ ମୁମ୍ବାଇରୁ ତିନୋଟି ଓ ପିମ୍ପ୍ରି ଚିନ୍ୱାଦ୍ ମହାନଗର ନିଗମ ଅଞ୍ଚଳରୁ ଚାରୋଟି ‘ଓମିକ୍ରନ୍ ଭେରିଏଣ୍ଟ୍’ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ମୁମ୍ବାଇର 3 ସଂକ୍ରମିତ ତାଞ୍ଜାନିଆ, ୟୁକେ ଓ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି । ଅନ୍ୟ ଚିହ୍ନଟ ୪ ଜଣ ନାଇଜେରିଆନ୍ ମହିଳାଙ୍କ ଯୋଗାଯୋଗରେ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି । ଦେଶରେ ମୋଟ ମାମଲା ୩୨କୁ ବୃଦ୍ଧି ପାଇଛି । ସବୁଠାରୁ ଅଧିକ ୧୭ ଜଣ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରୁ ୯, ଗୁଜରାଟରୁ ୩, ଦିଲ୍ଲୀରୁ ଗୋଟିଏ ଓ କର୍ଣ୍ଣାଟକୁ ଗୋଟିଏ ଓମିକ୍ରନ ମାମଲା ଆସିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ରାଜସ୍ଥାନର ସମସ୍ତ ୯ ଜଣ ଓ କର୍ଣ୍ଣାଟକରେ ସଂକ୍ରମିତ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସି ସାରିଛି ।