ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଛନ୍ତି ଜଣେ ଓଡିଆ ଯବାନ। ଶହୀଦ ଯବାନ ହେଲେ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ରାଣାପ୍ରତାପ ଦାସ। ଦୁର୍ଘଟଣା ସମ୍ପର୍କରେ ତାଙ୍କ ଭିଣୋଇ ସଂକଳ୍ପ ଦାସ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ରାଣାପ୍ରତାପ ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । କିଛିଦିନ ହେବ ସେ ତାମିଲନାଡୁରେ ରହିଆସୁଥିଲେ। ୩ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । ସେ ବିହାରର ଗୟାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ମଧ୍ୟ ଏୟାରଫୋର୍ସରେ ଚାକିରୀ କରନ୍ତି। ତାଙ୍କର ବର୍ଷକର ପୁଅ ଅଛି । ତେବେ ରାଣା ଘରର ସାନ ପୁଅ ହୋଇଥିବାରୁ ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସହିଦ ଯବାନ ରାଣାପ୍ରତାପଙ୍କ ବାପା ଶ୍ରୀବତ୍ସ ଦାସ ଜଣେ ଅବସରପ୍ରାପ୍ତ କଲେଜ ବରିଷ୍ଠ କିରାଣୀ । ବୟସର ଅପରାହ୍ନରେ ୩୫ବର୍ଷର ପୁଅକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଓଡ଼ିଶାର ପ୍ରତିରକ୍ଷା ବିଶେଷଜ୍ଞ କର୍ଣ୍ଣେଲ ସୁସାନ୍ତ କୁମାର ମିଶ୍ର ଗଭୀର ଦୁଃଖ ପ୍ରକାଶ କରିବା ସହ ଶହୀଦ ରାଣାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଛନ୍ତି ଯେ ବାୟୁସେନା ହେଲିକପ୍ଟରର ଟେକ୍ନିକାଲ ଟିମ୍ ରେ ରାଣା ଥିଲେ । ଦୁର୍ଭାଗ୍ୟଜନକ ଓଡ଼ିଶା ଜଣେ ଜଣେ ଯୁବ ସାହସୀ ଯୋଦ୍ଧାଙ୍କୁ ହରାଇଲା | ସୂଚନା ଥାଉକି ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣ ଯବାନଙ୍କର ମୃତ୍ୟୁ ଘଟିଛି ।