ସେ ଥିଲେ ଏକା ଧାରରେ ଜଣେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟିକ, ଭାଷାଶିଳ୍ପୀ ଓ ସୁରଶିଳ୍ପୀ । ତାଙ୍କ ଲେଖନୀ ବଖାଣୁଥିଲା ଦେଶ ମାତୃକାର ଗାଥା । ଆଉ ଭାବରେ ଥିଲା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିକଟରେ ଥିବା ଅହେତୁକ ଅଭିମାନର ପରିଭାଷା । ସେ ଥିଲେ ଓଡିଶାର କାନ୍ତକବି, ‘ବନ୍ଦେ ଉତ୍କଳ ଜନନୀ…’ ତାଙ୍କ ପରିଚୟ । ଆଜି ଏହି ଓଡିଆ ସାହିତ୍ୟ ଜଗତର ବରେଣ୍ୟ କାଳଜୟୀ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମଜୟନ୍ତୀ।
ଡିସେମ୍ବର 9, 1888 ମସିହା କଟକ ସହରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ଗ୍ରାମରେ । ତାଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଥିଲେ ତାଳପଦାର ଜମିଦାର । ଲକ୍ଷ୍ମୀକାନ୍ତ ବାଲେଶ୍ବର ଜିଲ୍ଲା ସ୍କୁଲରୁ ହାଇସ୍କୁଲ ପଢାସାରି ରେଭେନ୍ସା କଲେଜରେ ଉଚ୍ଚ ଶିକ୍ଷା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ଲେଖାପ୍ରତି ଆକୃଷ୍ଟ ହୋଇଥିଲେ ସେ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲେଖା ତାଙ୍କୁ ଅନୁପ୍ରାଣିତ କରିଥିଲା ।
ଓଡିଆ ସାହିତ୍ୟ ଜଗତକୁ ଖୁବ୍ କମ୍ ବୟସରୁ ଗୋଟିଏ ପରେ ଗୋଟିଏ କାଳଜୟୀ କାବ୍ୟ ଭେଟି ଦେଇଥିଲେ । ତାଙ୍କ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ, କ୍ଷୁଦ୍ର ଗଳ୍ପ ବୁଢା ଶଙ୍ଖାରୀ, ସ୍ବରାଜ ଓ ସ୍ବଦେଶୀ, କବିତା ସଂକଳନ ମଧ୍ୟରେ ଅଲଣା ପୁରାଣ, ଯୁଗର ମଜା, ଡିମ୍ବକ୍ରେସି ସଭା, ହନୁମନ୍ତ ବସ୍ତ୍ର ହରଣ, ସମସ୍ୟା ଆଦି ବ୍ୟଙ୍ଗ ନାଟକ ଅନ୍ୟତମ ଏହାସହିତ ସେ 100ରୁ ଊର୍ଦ୍ଧ୍ବ ଭକ୍ତି କବିତା ରଚନା କରିଥିଲେ । ସେଗୁଡିକ ମଧ୍ୟରୁ 33 ରୁ ଅଧିକ ଦେଶପ୍ରେମ କବିତା ରହିଛି । କାନ୍ତକବିଙ୍କ କଲମରୁ ନିସୃତ ଦେଶାତ୍ମବୋଧକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଏବଂ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ…’ ଭଜନ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।
ବନ୍ଦେ ଉତ୍କଳ ଜନନୀ ଅବିଭକ୍ତ ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ଉତ୍କଳ ସମ୍ମିଳନୀରେ 1912 ମସିହାରେ ପ୍ରଥମେ ଗାନ କରଯାଇଥିଲା । ମଧୁସୂଦନ ଦାସ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି ବନ୍ଦେ ଉତ୍କଳ ଜନନୀ ସ୍ଵତନ୍ତ୍ର ଓଡିଶା ଗଠନ ପାଇଁ ବେଶ ପ୍ରେରଣା ଯୋଗାଇଥିଲା । ବର୍ତ୍ତମାନ ବନ୍ଦେ ଉତ୍କଳ ଜନନୀ… ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ପାଇଛି ।୧୯୨୦-୨୧ର ଅସହଯୋଗ ଆନ୍ଦୋଳନ ଏବଂ ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡାଇଦେଲା । ତାଙ୍କ ବାପା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇଥିଲେ । ଏପରିକି କାନ୍ତକବିଙ୍କର ବଡ଼ ପୁଅ ନିତ୍ୟାନନ୍ଦ ମହାପାତ୍ର ମଧ୍ୟ ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ମାତ୍ର 25 ବର୍ଷ ବୟସରେ ବ୍ୟାଧିଗ୍ରସ୍ତ ହୋଇଥିଲେ କାନ୍ତକବି । ହେଲେ ଜଟିଳ ବ୍ୟାଧି ଓ ବିଷାଦ ତାଙ୍କୁ ଲେଖା କି ଲେଖନୀରୁ ଦୂରେଇ ପାରିନଥିଲା । ଦୂରାରୋଗ୍ୟରେ ଥିବା ସମୟରେ ମହାପ୍ରଭୁଙ୍କ ନିକଟରେ ଅଭିମାନ ପୂର୍ବକ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶ ବାନା ଉଡାଇବ ହେ…’ ଭଜନ ସହ ବହୁ କବିତା ରଚନା କରିଥିଲେ । ଦୀର୍ଘଦିନ ରୋଗରେ ପୀଡିତ ହୋଇ ଶେଷରେ 1953 ମସିହା ଫେବ୍ରୁଆରୀ 24 ରେ ଆଖି ବୁଜିଥିଲେ ଓଡିଆ ଜଗତର ଏହି କାଳଜୟୀ ସ୍ରଷ୍ଟା । ଓଡିଆ ସାହିତ୍ୟ ଜଗତ ଥିବା ପର୍ଯ୍ୟନ୍ତ ସେ ମନେ ପଡିବେ…