ବନ୍ଦ ହେବ କୃଷକ ଆନ୍ଦୋଳନ ! କୃଷି ବିଲ୍ ପ୍ରତ୍ୟାହାର ଓ ଏମ୍ଏସ୍ପି ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତ୍ୟାହାର ହୋଇପାରେ। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍କେଏମ୍) ଆନ୍ଦୋଳନ ପ୍ରତ୍ୟାହାର କରିପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆଜି ଏନେଇ ନିଷ୍ପତ୍ତି ନିଆଯାଇପାରେ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚାର ୫ ଜଣିଆ କମିଟି ମେମ୍ବରକୁ ଦାବି ସମ୍ପର୍କିତ ଏକ ଲିଖିତ ଡ୍ରାଫ୍ଟ ପଠାଇଛନ୍ତି। ଏହାରି ଉପରେ ବିଚାର ବିମର୍ଶ କରିବାକୁ ଆଜି ସିଂଘୁ ବର୍ଡରରେ କୃଷକସଂଗଠନ ମୁଖ୍ୟ ନେତାମାନେ ଏକ ବୈଠକ ଡକାଇନ୍ତି। ଏହି ବୈଠକରେ ଆଲୋଚନା କରି ଶେଷ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଆନ୍ଦୋଳନରତ କୃଷସଂଗଠନର ନେତୃତ୍ୱ ନେଉଥିବା ଏସ୍କେଏମ୍ ସଂଗଠନ ପକ୍ଷରୁ ସମସ୍ୟାର ସମାଧାନ ସହିତ ସରକାରଙ୍କ ସହିତ ଆଲୋଚନା ପାଇଁ ଏକ ୫ ଜିଣିଆ କମିଟି ଗଠନ କରିଛି। ଏହି କମିଟି ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ସରକାରଙ୍କର ପାଖରେ ଦାବି ରଖିବେ। ସମସ୍ତ ପ୍ରସ୍ତାବର ବିଚାରବିମର୍ଶ କରିପାରିବେ। ଚାଷୀ ଆନ୍ଦୋଳନର ମୁଖ୍ୟ ଦାବି ୩ କୃଷି ବିଲ୍ ଥିଲା। ନିର୍ବାଚନ ଯୋଗୁ କେନ୍ଦ୍ର ସରକାର ଏହାକୁ ମାନିନେବାକୁ ବାଧ୍ୟ ହେଲେ। ଏବେ ଅନ୍ୟାନ୍ୟ ମୁଖ୍ୟ ଦାବିକୁ ସରକାର ବିଚାର ନ କରିବା ଯାଏ ଆନ୍ଦୋଳନ ଉଠିବ ନାହିଁ ବୋଲି ସଂଗଠନ ଜିଦ୍ ଧରିଥିଲା। ତେବେ କେନ୍ଦ୍ର ସରକାର ଏନେଇ ସଂଗଠନର ନେତମାନଙ୍କ ପାଖକୁ ଏକ ଡ୍ରାଫ୍ଟ ପଠାଇଛନ୍ତି। ଆଜି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।