ସମାଜରେ ଶିଶୁର ମଧ୍ୟ ଅଧିକାର ରହିଛି । ଶିଶୁର ଶୈଶବକୁ ସୁନ୍ଦର କରିବା ସହ ଭବିଷ୍ୟତରେ ଜଣେ ଭଲ ନାଗରିକ ଭାବେ ଗଢି ତୋଳିବାକୁ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ସଚେତନତା ବାର୍ତ୍ତା ରଥ ପରିକ୍ରମା କରୁଛି । ଶିଶୁଟି ଯେପରି ତାର ମୌଳିକ ଅଧିକାରଠୁ ବଞ୍ଚିତ ନ ହେବ ଏବଂ ଶିଶୁ ଅଧିକାର ସମ୍ପର୍କରେ ଅଧିକରୁ ଅଧିକ ଜନସାଧାରଣଙ୍କୁ ସଚେତନ କରିବାକୁ ଏହି ରଥ ରାଜ୍ୟ ସାରା ଘୁରି ବୁଲୁଛି । ଆଜି କେନ୍ଦ୍ରାପଡା ଜିଲ୍ଲାରେ ଶିଶୁ ଅଧିକାର ସଚେତନତା ରଥ ପରିକ୍ରମା କରିଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା ଏହି ରଥକୁ ସ୍ବାଗତ କରିବା ସହିତ ସବୁଜ ପତାକା ପ୍ରଦର୍ଶନ କରି ସ୍ୱାଗତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଙ୍ଗନବାଡି କର୍ମି , ସହାୟିକା, ସ୍ବେଚ୍ଛାସେବୀ ସଂଗଠନର ମହିଳା ଓ ଯୁବତୀମାନେ ଏକାଠି ହୋଇ ରଥକୁ ସମ୍ବର୍ଧନା ଜଣାଇଥିଲେ । ଶିଶୁ ଅଧିକାର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଓଡିଶା ସରକାରଙ୍କ ଶିଶୁ ସୁରକ୍ଷା ଆୟୁକ୍ତ ଶିଶୁ ଅଧିକାର ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟ ପରିକ୍ରମା କରିବା ଅବସରରେ ଆଜି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି । କେନ୍ଦ୍ରାପଡା ହାଇସ୍କୁଲ ପରିସରରେ ଶିଶୁ ଅଧିକାର ସମ୍ପର୍କରେ ଏକ ଶପଥ ପାଠ କରାଯାଇଛି । ଶିଶୁମାନଙ୍କୁ ସେମାନଙ୍କର ଅଧିକାରୁ ବଞ୍ଚିତ ନକରିବାକୁ ଶପଥ ନେଇଛନ୍ତି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ । ଆଜି ଏହି ରଥ କେନ୍ଦ୍ରାପଡା ପୌରାଞ୍ଚଳରୁ ବାହାରି କେନ୍ଦ୍ରାପଡା ବ୍ଲକ, ମାର୍ଶାଘାଇ ବ୍ଲକ, ମହାକାଳପଡା ବ୍ଲକ ଓ ଗରଦପୁର ବ୍ଲକ ପରିକ୍ରମା କରି ଜଗତସିଂହପୁର ଜିଲ୍ଲାକୁ ଗଡିଯିବ ।