ଲଗାତାର ଷଷ୍ଠ ଦିନରେ ବି ବିଧାନସଭା ଅଚଳ । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳ ହୋହଲ୍ଲା କରିଥିଲେ । ମମିତା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିଛି ବିଜେପି । ସେହିଭଳି ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ସଦସ୍ୟଙ୍କୁ ସଦବୁଦ୍ଧି ମିଳୁ ବୋଲି କହି ଗୃହ ଭିତରେ ଶାସକ ଦଳର ସଦସ୍ୟମାନେ ବିରୋଧୀ ଦଳର ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥିଲେ । ପ୍ରବଳ ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।
ଶାସକ ଦଳ ଜାଣିଶୁଣି ଗୃହ ଚଳାଇ ଦେଉନାହିଁ ବୋଲି ଅଭିଯୋଗ କରିଛି ବିଜେପି । ଗୃହ ମୁଲତବୀ ପରେ ଗୃହ ବାହାରେ ମଧ୍ୟ ଉଭୟ ଶାସକ-ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି । ଗାନ୍ଧୀ ମୂର୍ତ୍ତି ତଳେ ବସି ଶାସକ ବିଜେଡି ବିରୋଧୀ କରୁଛି । କେନ୍ଦ୍ରୀୟ ଅବହେଳା , ଦରଦାମ ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି କରିଛନ୍ତି ବିଜେଡି ବିଧାୟକ । ଆବାସ ଯୋଜନାରେ ପାତର ଅନ୍ତର ନେଇ ଆଲୋଚନା କଲେ ସେମାନଙ୍କ ସତ ଧରା ପଡିଯିବ ବୋଲି ବିଜେଡି ଅଭିଯୋଗ କରିଛି । ବିରୋଧୀ ଦଳ ସବୁବେଳେ ଏଭଳି ଡ୍ରାମା ନାଟକ କରୁଛନ୍ତି ବୋଲି ବିଜେଡି କହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି କଂଗ୍ରେସ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛି । ଅନ୍ୟପଟେ ବିରୋଧୀ ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ଘଣ୍ଟ ବଜାଇ ପ୍ରତିବାଦ କରୁଛି । ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ ବୋଲି ବିରୋଧୀ ବିଜେପି ଦାବି କରୁଛି ।