ନାଗାଲାଣ୍ଡରେ ଉଗ୍ର ହେଉଛି ଯବାନ-ଜନତା ହିଂସା । ଆସାମ ରାଇଫଲ୍ସ ତରଫରୁ ରାତି ଅଧାରେ ସାଧାରଣ ଲୋକଙ୍କ ଉପରେ ଗୁଳିଚାଳନା କରାଯାଇଥିଲା । ସେଥିରେ 14 ଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଏହି ଘଟଣାର ପ୍ରତିବାଦ କରିବାକୁ ଯାଇ ସେହି ଗାଁର ଜନସାଧାରଣ ଆସାମ ରାଇଫଲ କ୍ୟାମ୍ପରେ ଭଙ୍ଗାରୁଜା କରିଥିଲେ । ଉତ୍ୟକ୍ତ ଲୋକେ କ୍ୟାମ୍ପରେ ଥିବା ଗାଡ଼ି ସବୁ ଜାଳି ଦେଇଥିଲେ । ଏହି ଘଟଣାରେ ଜଣେ ଯବାନ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।ଏହି ଘଟଣାକୁ ନେଇ ସେଠାରେ ୧୪୪ ଧାରା ଜାରି କରାଯାଇଛି । ପରିସ୍ଥିତି ଅଧିକ ବିଗିଡ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସେଠାରେ ଇଣ୍ଟରନେଟ୍ ସେବା ଏବଂ ବଲ୍କ ମେସେଜିଂ ସେବା ବନ୍ଦ ରଖାଯାଇଛି | ପୋଲିସ ସୂଚନା ଅନୁଯାୟୀ ଓଟିଙ୍ଗ ଏବଂ ତିରୁ ଗ୍ରାମ ମଧ୍ୟରେ ଏହି ଘଟଣା ଘଟିଛି | ଶନିବାର ସନ୍ଧ୍ୟାରେ କିଛି ଦିନ ମଜୁରୀଆ କୋଇଲା ଖଣିରୁ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିବା ବେଳେ ଆସାମ ରାଇଫଲ୍ସ ତରଫରୁ ତାଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା । ତେବେ ସେମାଙ୍କୁ ମାଓବାଦୀ ଭାବି ଗୁଳି ଚଳାଇଥିବା ଆସାମ ରାଇଫଲ୍ସ ତରଫରୁ କୁହାଯାଇଛି ।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପ୍ରତିଶୃତି ଦେଇଛନ୍ତି | ଅଂଚଳରେ ଶାନ୍ତି ବଜାୟ ରଖିବା ପାଇଁ ସମାଜର ସମସ୍ତଙ୍କୁ ନିବେଦନ କରିଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା ଗୁଳି ବିନିମୟରେ ପ୍ରାଣ ହରାଇଥିବା ସାଧାରଣ ନାଗରିକଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଫି ରିଓ ସୋମବାର ମୋନ ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ସମୟରେ ସେ ପୁଣି ଥରେ ରାଜ୍ୟରେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ (AFSPA) କୁ ହଟାଇବାକୁ ଦାବି କରିଛନ୍ତି। ହିଂସା ନିୟନ୍ତ୍ରଣ କରିବା ପାଇଁ ଏହି ନିୟମ ଲାଗୁ ହୋଇଛି, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କାହିଁକି ପ୍ରତ୍ୟାହାର କରାଯାଇ ବୋଲି ନାହିଁ ରିଓ ପ୍ରଶ୍ନ କରିଛନ୍ତି । ଏହି ଘଟଣା ପରେ ନାଗାଲାଣ୍ଡରେ AFSPA ଆଇନ ହଟାଇବା ଦାବି ଆହୁରି ତୀବ୍ର ହୋଇଛି। କେନ୍ଦ୍ର ସରକାର ନାଗା ବିଦ୍ରୋହୀ ଗୋଷ୍ଠୀ ସହ ନିରନ୍ତର ଶାନ୍ତି ଆଲୋଚନା କରୁଥିବା ବେଳେ ଏହି ଘଟଣା ପୁଣି ଚିନ୍ତାର ବିଷୟ ହୋଇଛି । ବାସ୍ତବରେ, ଅନେକ ଦଶନ୍ଧି ଧରି ନାଗାଲାଣ୍ଡରେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ନିୟମ ଲାଗୁ ହୋଇଛି | 1958 ମସିହାରେ, ସଂସଦ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନ ପ୍ରଣୟନ କରିଥିଲା | ଭାରତରେ ସମ୍ବିଧାନ କାର୍ଯ୍ୟକାରୀ ହେବା ପରଠାରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ବିଚ୍ଛିନ୍ନତାବାଦ, ହିଂସା ଏବଂ ବିଦେଶୀ ଆକ୍ରମଣରୁ ରକ୍ଷା କରିବା ପାଇଁ ମଣିପୁର ଏବଂ ଆସାମରେ 1958 ମସିହାରେ AFSPA ଲାଗୁ କରାଯାଇଥିଲା। 1972 ରେ, କିଛି ସଂଶୋଧନ ପରେ ଆସାମ, ମଣିପୁର, ତ୍ରିପୁରା, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ ଏବଂ ନାଗାଲାଣ୍ଡ ସମେତ ସମଗ୍ର ଉତ୍ତର-ପୂର୍ବ ଭାରତରେ ଏହା କାର୍ଯ୍ୟକାରୀ କରାଯାଇଥିଲା |