ଏବେ ସାରା ବିଶ୍ୱକୁ ଘାରିଛି ଓମିକ୍ରନ ଭୟ । ନୂଆ କରି ଉଭା ହୋଇଥିବା କରୋନାର ତୃତୀୟ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଲୋକେ ଛାନିଆ ଅବସ୍ଥାରେ ଅଛନ୍ତି । ଓମିକ୍ରନ ଭୟକୁ ନେଇ ଜଣେ ଡାକ୍ତର ତାଙ୍କ ପତ୍ନୀ ଏବଂ 2 ପୁଅ ଝିଅଙ୍କୁ ହତ୍ୟା କରିଛନ୍ତି । ଓମିକ୍ରନ ସମସ୍ତଙ୍କୁ ମାରିଦେବ, କାହାକୁ ଛାଡିବନି ଏଭଳି ଲେଖି 61 ବର୍ଷୀୟ ଡାକ୍ତର ତାଙ୍କ ପରିବାର ସଦସ୍ୟଙ୍କୁ ନିଜ ହାତରେ ମାରିଦେଇଥିଲେ । ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ କରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଏବେ ଉତ୍ତରପ୍ରଦେଶ କାନପୁରରେ ହଇଚଇ ସୃଷ୍ଟିି ହୋଇଛି ।
ଉତ୍ତରପ୍ରଦେଶ କାନପୁରରେ ରହୁଥିବା ଫୋରେନସିକ ବିଭାଗ ମୁଖ୍ୟ ଡାକ୍ତର ସୁଶୀଲ କୁମାର ତାଙ୍କ ପତ୍ନୀ ଓ 2 ପୁଅଝିଅ ସହ ରହୁଥିଲେ । କରୋନା ସମୟରୁ ସେ ମାନସିକ ଚାପରେ ରହିଆସୁଥିଲେ । କରୋନା ଯୋଗୁ ଲକ୍ଷାଧିକ ରୋଗୀ ପ୍ରାଣ ହରାଉଥିବା ଦେଖିବା ପରେ ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏବେ ପୁଣି ଓମିକ୍ରନର ଆତଙ୍କ ଖେଳିଯିବା ପରେ ସେ ଆହୁରି ବିଚଳିତ ହୋଇପଡିଥିଲେ । ଫଳରେ ଏଭଳି କଠୋର ନିଷ୍ପତି ନେବାକୁ ପଛାଇନଥିଲେ । ଏହି ହତ୍ୟାକାଣ୍ଡ ପରେ ଡାକ୍ତର ଜଣକ ତାଙ୍କ ଭାଇ ସୁନୀଲ କୁମାରଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ । ପରେ କେଉଁଆଡେ ପଳାଇଥିଲେ । ତାଙ୍କ ଭାଇ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ୩ଜଣଙ୍କ ମୃତଦେହ ସହ ପାଖରେ ପଡିଥିବା ଏକ ମାରଣାସ୍ତ୍ର ଜବତ କରିଛି । ଏହାସହ ଡାକ୍ତର ସୁଶୀଲ କୁମାରଙ୍କ ଲେଖାଯାଇଥିବା ଡାଏରୀ ବି ଜବତ ହୋଇଛି ।ଡାକ୍ତର ନିଜ ଡାଏରୀରେ ଲେଖିଛନ୍ତି ଯେ, ଆଗରୁ ବହୁତ ମରଣ ଦେଖିଦେଖି ଏବେ ଆଉ ମୃତ୍ୟୁ ଦେଖିବାକୁ ଧର୍ଯ୍ୟ ନାହିଁ । ବର୍ତ୍ତମାନ କରୋନା (ଜୀବାଣୁ) ସମସ୍ତଙ୍କୁ ମାରିଦେବ, ଏପରି ସ୍ଥିତିରେ ସେ ନିଜ ପରିବାରକୁ କଷ୍ଟରେ ଦେଖିବାକୁ ଚାହୁଁନାହାଁନ୍ତି । ତେଣୁ ସେ ସମସ୍ତଙ୍କୁ କଷ୍ଟରୁ ମୁକ୍ତି ଦେବାକୁ ଚାହାନ୍ତି ।