ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନକୁ ଠେଲି ଠେଲି ନେବା ସମସ୍ତେ ଦେଖିଛନ୍ତି । କିନ୍ତୁ ବିମାନକୁ ଧକ୍କା ଦେବା ଦୃଶ୍ୟ ବୋଧହୁଏ ଆପଣ କେବେ ଦେଖି ନଥିବେ । ଯାତ୍ରୀମାନେ ବିମାନକୁ ଧକ୍କା ଦେଇ ଠେଲିକି ନେଉଥିବା ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି । ଏହି ଭିଡିଓଟି ନେପାଳର ବାଜୁରା ବିମାନବନ୍ଦର ଦୃଶ୍ୟ । ନେପାଳର ତାରା ଏୟାରଲାଇନ୍ସର ବିମାନକୁ ଡଜନରୁ ଅଧିକ ଲୋକ ଠେଲିକି ନେଉଥିବା ଦେଖିବାକୁ ମିଳିଥିଲା । ଜଣାଯାଇଛି ଯେ, ତାରା ଏୟାରଲାଇନ୍ସର ଏହି ବିମାନ ସୁରକ୍ଷିତ ଭାବେ ଅବତରଣ ତ କରିଗଲା ହେଲେ ହଠାତ୍ ବିମାନର ଲ୍ୟାଣ୍ଡିଂ ଗିୟରର ଏକ ଟାୟାର ଫାଟିଗଲା । ଫଳରେ ରନୱେରେ ଉପରେ ବିମାନଟି ଅଟକି ଯାଇଥିଲା । ରନୱେ ଅବରୋଧ ହୋଇଯିବାରୁ ଅନ୍ୟ ବିମାନ ଅବତରଣ କରିବାରେ ସମସ୍ୟା ହେଲା । ତେଣୁ ବିମାନଟିକୁ ତୁରନ୍ତ ହଟାଇବା ଜରୁରୀ ହୋଇପଡ଼ିଲା । ବାଧ୍ୟ ହୋଇ ବିମାନରେ ଥିବା ଯାତ୍ରୀ ଏବଂ ସୁରକ୍ଷାକର୍ମୀମାନେ ମିଶି ରନୱେରୁ ବିମାନକୁ ଠେଲି ଠେଲି ନେଇ ପାର୍କିଂ ସ୍ଥାନରେ ରଖିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।