ଏବେ ସ୍ୱାମୀଙ୍କ ସହ ଏକାଠି ରହିବେ ଡିମ୍ପଲ । ଡିମ୍ପଲ ଓ ଡାକ୍ତର ସୁମିତ ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। 7 ଦିନ ଯାଏଁ ଦୁହେଁ କୌଣସି ବାହାର ଲୋକଙ୍କ ସହ ମିଶିବେନି ବୋଲି କୋର୍ଟ ଏହି ମାମଲାର ଶୁଣାଣୀ କରି କହିଛନ୍ତି । ସୁମିତ ରହୁଥିବା ଆସିକା ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ନିଜ ନିଜ ପରିବାର ସହ ମଧ୍ୟ ଯୋଗାଯୋଗ କରିପାରିବେ ନାହିଁ ଡିମ୍ପଲ ଓ ଡାକ୍ତର ସୁମିତ । ଏପରିକି କୌଣସି ସାମାଜିକ କର୍ମୀଙ୍କ ସହ ମଧ୍ୟ ଯୋଗାଯୋଗ କରିପାରିବେ ନାହିଁ । ୭ ଦିନପରେ କୋର୍ଟରେ ହାଜର ହେବେ ସ୍ଵାମୀ-ସ୍ତ୍ରୀ। ଏହି ସମୟରେ ଡିମ୍ପଲଙ୍କ ସବୁ ଖର୍ଚ୍ଚ ଡାକ୍ତର ସୁମିତ ବହନ କରିବେ ।ପୋଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉଭୟେ ପତି-ପତ୍ନୀ ରହିବେ । ନିଜ ଶାଶୁ ଘରକୁ ଯିବା ଦାବିରେ ନବବଧୂ ଡିମ୍ପଲ ଓରଫ ତପସ୍ୱନୀ ଦାସ ତାଙ୍କ ଶାଶୁଘର ଆଗରେ ୧୧ ଦିନ ହେଲା ଧାରଣା ଦେଇଥିଲେ । ଶୀତ-ବର୍ଷାକୁ ଖାତିର ନକରି ନିଜ ଜୀବନସାଥିକୁ ପାଇବାକୁ ଜାରି ରଖିଥିଲେ ତପସ୍ୟା। ଶେଷରେ ତପସ୍ୱିନୀଙ୍କ ତପସ୍ୟା ସଫଳ ହୋଇଛି। ମାନ୍ୟବର କୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ ରାୟ ପରେ ଡ଼ ସୁମିତଙ୍କ ଘର ସମ୍ମୁଖରେ ଲଗାଯାଇଥିବା ଡିମ୍ପଲଙ୍କ ଟେଣ୍ଟ ଭାଙ୍ଗି ଦିଆଯାଇଛି। ରାତିରେ ପୁଲିସ ଉପସ୍ଥିତିରେ ତାଙ୍କ ଟେଣ୍ଟ ଭଙ୍ଗାଯାଇଛି।