ବାତ୍ୟା ସଂପର୍କରେ SRC ପ୍ରଦୀପ ଜେନାଙ୍କ ସୂଚନା । -IMD ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । -ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା । -ଯଦି ଅଧିକ ଦିଗ ବଦଳାଏ, ହୁଏତ ସ୍ଥଳଭାଗ ନଛୁଇଁପାରେ । -ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ । ଅବପାତର ରୂପ ନେଲା ବାତ୍ୟା ଜୱାଦ । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା । ଅବପାତ ପରେ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପଟଣମ ଠାରୁ ୭୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଗୋପାଳପୁର ଠାରୁ ୬୭୦ କିଲୋମିଟର ଏବଂ ପାରାଦୀପ ଠାରୁ 760 କିଲୋମିଟର ଦୂରରେ ରହିଛି । ଆଗାମୀ 12 ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ ଅବପାତ । ପୁରୀର କୌଣସି ଏକ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଲେ SRC ପ୍ରଦୀପ ଜେନା । ଅବପାତ ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ ।
ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ଏହି ସବୁ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ୫ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ର ୫ ତାରିଖ ଯାଏଁ ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ । 3 ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି |