ମୁଣ୍ଡ ଉପରେ ଛାତ ନଥିବା ଗରିବ ଲୋକଙ୍କୁ ଘର ଖଣ୍ଡେ ଦେବା ପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କିନ୍ତୁ ଏଭଳି ଏକ ମହତ୍ୱାକାଂକ୍ଷୀ ଯୋଜନାରୁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବଞ୍ଚିତ କରିବା ପାଇଁ ବିଜେପି ହୀନ ରାଜନୀତି କରୁଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ଉପେକ୍ଷା କରି ଚାଲିଛନ୍ତି । ଏହି ଯୋଜନାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଯଥେଷ୍ଟ କମ୍ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବାବେଳେ, ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରାଯାଉ ନାହିଁ । ତେଣୁ କେନ୍ଦ୍ରର ଏହି ଅବହେଳା ବିରୋଧରେ ବିଜୁ ଜନତା ଦଳ ଆଜି ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ବିଧାୟକମାନେ ଆଜି ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇ ଏହାର ତୀବ୍ର ପ୍ରତିବାଦ କରିବା ସହ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟର କେବିକେ ସମେତ ୧୬ଟି ଜିଲ୍ଲାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ଲାଗି ୬ ଲକ୍ଷ ୭ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥିଲେ । ମାତ୍ର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଜିଓ ଟ୍ୟାଗିଂ ଲାଗି ଆୱାସ ପ୍ଲସ୍ ପୋର୍ଟାଲ ୱିଣ୍ଡୋ ବନ୍ଦ କରିଦେବାରୁ ଏହି ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରିଲେ ନାହିଁ । ମୁଖ୍ୟମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ ହେଁ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଫଳରେ ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନୁସୂଚୀତ ଜନଜାତିର ଅଧିକାଂଶ ଲୋକ ଏହି ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାବ୍ୟତୀତ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାରେ ମଧ୍ୟ ସହାୟତା ରାଶିରେ ବହୁ ଲୋକଙ୍କୁ ମିଳିବାକୁ ଥିବା ଘର ଏଯାଏ ମିଳିନାହିଁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛି । ଏହି ଯୋଜନାରେ ଓଡ଼ିଶାକୁ ୧,୭୭,୫୨୮ ଘର ମଞ୍ଜୁର ହୋଇଥିବାେବେଳ ରାଜ୍ୟ ସରକାର ଏଯାଏ ୯୮, ୨୦୩ ଟି ଘର ର୍ନିମାଣ କରି ସାରିଛନ୍ତି । ଏପରିକି ପାର୍ଲାମେଣ୍ଟର ଷ୍ଟାଣ୍ଡିଂ କିମିଟି ଓଡ଼ିଶା ମଡେଲକୁ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଏହାର ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ମାତ୍ର ବିଜେପି ଏହାକୁ ସହି ପାରୁନାହିଁ । ଓଡ଼ିଶା ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ହୀନ ରାଜନୀତି କରୁଛି । ରାଜ୍ୟ ସରକାର ତାଲିକା ଦେଇପାରୁନାହାନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ ବାରମ୍ବାର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ଓଡ଼ିଶାର ଗରିବ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧରେ ଚକ୍ରାନ୍ତ କରୁଛନ୍ତି ।
କେନ୍ଦ୍ର ସରକାର ମଧ୍ୟ ପାତରଅନ୍ତର ନୀତି ଗ୍ରହଣ କରି ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ଅଧିକ ଘର ମଞ୍ଜୁର କରୁଥିବାବେଳେ ଓଡ଼ିଶାକୁ ଉପେକ୍ଷା କରି ଆସୁଛନ୍ତି । ଗୁଜରାଟକୁ ୮.୫ ଲକ୍ଷ, ଉତ୍ତରପ୍ରଦେଶକୁ ୧୭ ଲକ୍ଷ, ମଧ୍ୟପ୍ରଦେଶକୁ ୮.୬୪ଲକ୍ଷ, ବିହାରକୁ ୩.୬ ଲକ୍ଷ, ହରିଆନାକୁ ୨.୮୭ ଲକ୍ଷ ଘର ମଞ୍ଜୁର କରିଥିବାବେଳେ ଓଡ଼ିଶାକୁ ମାତ୍ର ୧.୭୭ଲକ୍ଷ ଘର ମଞ୍ଜୁର କରିଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ଘର ନଦେଇ କେନ୍ଦ୍ର ସରକାର କେମିତି ଓଡ଼ିଶାକୁ ଅବହେଳା କରୁଛନ୍ତି , ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତେଣୁ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ମନୋଭାବ ଓ ଚରମ ଅବହେଳା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।