ହାତୀପଲଙ୍କ ଆତଙ୍କ l ଧାନ ବିଲରେ ପଶି ଏକର ଏକର ଧାନ ଫସଲ ନଷ୍ଟ ନଷ୍ଟ କରିଦେଇଛନ୍ତି ହାତୀପଲ l ଅମଳ କରି ଘରକୁ ଆଣିଥିବା ଧାନ ବିଡାକୁ ବି ଖାଇଦେଇଛନ୍ତି ହାତୀମାନେ l ଆକ୍ରମଣ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଏଭଳି ଆତଙ୍କ ଖେଳାଇଛନ୍ତି ହାତୀପଲ l ଗତକାଲି ବିଳମ୍ବିତ ରାତିରେ ସାହାରପଡା ସେକ୍ସନକୁ ୨୫ ଟି ହାତୀ ପଶି ଆସିଛନ୍ତି l ଧାନ ପାଚିବାକୁ ବସିଥିବା ବେଳେ ଗୋହିରା, କଟୁପଡା, ବଡପଶି ଅଞ୍ଚଳରେ ଏକର ଏକର ଜମିରେ ପାଚିଲା ଧାନକୁ ମାଡି ଚକଟି କ୍ଷତିଗ୍ରସ୍ତ କରିଦେଇଛନ୍ତି l ଆଗକୁ ବାତ୍ୟା ଆସୁଥିବା ବେଳେ ଏବେ ହାତୀଙ୍କ ଆତଙ୍କ ଯୋଗୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି l ଝାଡ଼ଖଣ୍ଡ ଜଙ୍ଗଲରୁ ଏହି ହାତୀପଲ ଆସିଥିବା ଅନୁମାନ କରାଯାଉଛି l ଏହି ପଲରେ ୧୪ ଟି ମାଈ ହାତୀ, ୪ ଟି ଦନ୍ତା ଓ ୭ ଟି ଛୁଆ ହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ହାତୀପଲ ଗୋହିରା ବୁଧୁ ସାହି ନିକଟ ଜଙ୍ଗଲରେ ଥିବା ଜଣାଯାଇଛି l ବନ ବିଭାଗ ଖୁବଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।