ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ନେହୁରା ହେଲେ ଜଣେ ଅସହାୟ ମହିଳା । ବାରମ୍ବାର ଆସି ନିରାଶ ହେବା ପରେ ବୁଧବାର ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ ଗୋଡ଼ ତଳେ ପଡି ନେହୁରା ହେବାର ଦୃଶ୍ୟ ସମସ୍ତଙ୍କୁ ଚାତକ କରିଛି । ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ଅନ୍ତର୍ଗତ ବାଲିଆ ଗ୍ରାମର ସଂଯୁକ୍ତା ନାଥ ଓ ତାଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ନାଥ ଜିଲ୍ଲା ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।
ସଂଯୁକ୍ତା ତାଙ୍କ ଝିଅ ସ୍ୱପ୍ନାରାନୀଙ୍କ ବିବାହ ରାଜନଗର ଥାନା ଅଂଚଳରେ କରିଥିଲେ । କିନ୍ତୁ ବିବାହର 15 ଦିନ ପରେ ସ୍ୱପ୍ନାରାନୀଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ନେଇ ଫେରାର ହୋଇଗଲେ । ତେଣୁ ଝିଅର ଛାଡ଼ପତ୍ର କେଶ ପାଇଁ ସଂଯୁକ୍ତା ଓ ତାଙ୍କ ସ୍ୱାମୀ ଅଲେଖ ଗତ 29-10-21ରିଖରେ ରାଜନଗର ଥାନାକୁ ଯାଇଥିଲେ । କିନ୍ତୁ ରାଜନଗର ପୋଲିସ ତାଙ୍କୁ ନ୍ୟାୟ ଦେବା ପରିବର୍ତେ ଥାନା ପରିସରରେ ସଂଯୁକ୍ତା ଓ ତାଙ୍କ ଝିଅ ସ୍ୱପ୍ନାଙ୍କୁ ଚୂନକାଳୀ ବୋଳି ଚଲାଇଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି । ପରେ ସଂଯୁକ୍ତା ନ୍ୟାୟ ପାଇଁ ବିଧାୟକ ଧୂର୍ଵ ସାହୁଙ୍କ ନିକଟକୁ ଯାଇ ଗୁହାରି କରିଥିଲେ । ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି । ଝିଅ ଶଶୁର ଘର ଲୋକେ ଶାସକ ଦଳର ହୋଇଥିବାରୁ ତାଙ୍କୁ କେହି ନ୍ୟାୟ ଦେଉନଥିବା ସେ କୋହଭରା କଣ୍ଠରେ କହିଛନ୍ତି ।