ଫିକା ପଡିବ ନୂଆବର୍ଷ । ଇଂରାଜୀ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଜିରୋ ନାଇଟ ସେଲିବ୍ରେସନ ଉପରେ ବି ଲାଗିଛି ପ୍ରତିବନ୍ଧକ । ଏଥର ବି ଯୁବପୀଢ଼ିଙ୍କୁ ନିରାଶ ହେବାକୁ ପଡ଼ିବ। ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଓ଼ମିକ୍ରନ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ମଧ୍ୟରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ହୋଇପାରିବ ନାହିଁ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ୩୧ ଡିସେମ୍ବର ଓ ୧ ଜାନୁଆରି ପାଇଁ ଏହି କଟକଣା ବଳବତ୍ତର ରହିବ । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ମଧ୍ୟ କରାଯାଇପାରିବ ନାହିଁ । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଗତଥର ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ୍ ବାତିଲ କରାଯାଇଥିଲା। ଗାଇଡଲାଇନ ଅନୁଯାୟୀ ରାତି ୧୦ରୁ ସକାଳ ୫ ଯାଏଁ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି । ଏଥିରେ ପ୍ରବଳ ଲୋକ ଏକାଠି ହେଉଥିବାରୁ ସଂକ୍ରମଣ ଭୟ ରହିଛି । ଫଳରେ ରାଜ୍ୟବ୍ୟାପୀ ନୂଆବର୍ଷ ପାଳନ ଉପରେ କଟକଣା ଲାଗୁ କରାଯାଇଛି ।