ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ କଳିଙ୍ଗନଗର ସ୍ଥିତ ଟାଟା ମେଡିକା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି। ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ମୁତାବକ କଫ ଜନିତ ସମସ୍ୟା ଯୋଗୁଁ ନନ୍ଦ ସାର ଗତ ରବିବାରଠାରୁ ଅସୁସ୍ଥ ହୋଇପଡିଥିଲେ । ଗତକାଲି ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ନିମୋନିଆ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ଗତକାଲି ରାତିରେ ପଦ୍ମଶ୍ରୀ ନନ୍ଦସାରଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରଥମେ ତାଙ୍କର କୋଭିଡ ଟେଷ୍ଟ କରାଯିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ପରେ ତାଙ୍କୁ ସେହି ମେଡ଼ିକାଲର କୋଭିଡ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ICU ରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ରହିଥିବା ଜଣାପଡିଛି ।