ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’। ୪ରେ ଓଡ଼ିଶା ଛୁଇଁବ ବାତ୍ୟା । ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ବଢିବ। ପବନ ସାଙ୍ଗକୁ ବର୍ଷିବ ପ୍ରବଳ ବର୍ଷା । ସରକାରଙ୍କ ପକ୍ଷରୁ ଏହି ଘୋଷଣା ଶୁଣି ଚିନ୍ତାରେ ପଡିଛି ଚାଷୀକୂଳ । ବାତ୍ୟା ଭୟରେ ବିଲରେ ଥିବା ଦର ପାଚିଲା ଧାନକୁ କାଟି ଆଣୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଜଜାଙ୍ଗ ଗ୍ରାମର ଚାଷୀ । ଚାଷୀମାନେ କୋହଭରା କଣ୍ଠରେ କହିଛନ୍ତି ଧାନ ବେଉଷଣ ସମୟରେ ପ୍ରବଳ ବର୍ଷା ସେମାନଙ୍କ ଜମିରୁ ଧୋଇ ନେଇଥିଲା ଧାନ । ବର୍ଷା ମୁହଁରୁ ଯାହା ବଞ୍ଚିଯାଇଥିଲା ଏବେ ବାତ୍ୟା ମୁହଁରେ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି । ହଜାର ହଜାର ଟଙ୍କା ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି । କେଉଁ ବିଲରେ ଧାନ ପାଚିବା ଆରମ୍ଭ ହୋଇଛି ତ କେଉଁଠି ଧାନ ପାଚିନାହିଁ । ଓଦା କଞ୍ଚା ଧାନକୁ ଆଣି ସେଗୁଡିକୁ ଅମଳ କରିବା ଆଉ ଏକ ଚିନ୍ତାର କାରଣ ହୋଇଛି । ଯଦି ଝଡବାତ୍ୟା ଓ ପ୍ରବଳ ବର୍ଷା ହୁଏ ତେବେ କେନ୍ଦ୍ରାପଡା ଜିଲ୍ଲାରେ କୋଟିକୋଟି ଟଙ୍କାର ଧାନ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ବାତ୍ୟା ସମ୍ଭାବନାକୁ ଦେଖି ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହା ସହ ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ଆଣ୍ଡାମାନ ସାଗରରେ ଆଜି ପୂର୍ବାହ୍ନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨ ତାରିଖ ସୁଦ୍ଧା ଅବପାତରେ ରୂପ ନେବ ଲଘୁଚାପ। ୩ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ରୂପ ନେବା ସହ ୪ ତାରିଖ ସୁଦ୍ଧା ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ତାରିଖ ରାତିରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ବାତ୍ୟା ଜୱାଦ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ କରିନି ପାଣିପାଗ ବିଭାଗ। ବାତ୍ୟା ଆସୁଥିବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ତେଣୁ ସମୁଦ୍ରରେ ଥିବା ମତ୍ସଜିବୀଙ୍କୁ ୨ ତାରିଖ ସୁଦ୍ଧା ଫେରିଆସିବାକୁ କହିଛନ୍ତି ଆଇଏମଡି ଡିଜି।