ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେସନ । ବିଧାନସଭା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା । ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୧୨୦ ଜଣ ବରିଷ୍ଠ ଅଫିସର ନିୟୋଜିତ ହେବେ। ଭୁବନେଶ୍ୱର ଡ଼ିସିପିଙ୍କ ଦାୟିତ୍ୱରେ ରହିବ ବିଧାନସଭା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ବଡ଼ ଧରଣର ଆକ୍ରମଣର ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ଫୋର୍ସ, ଗୋଟିଏ ୟୁନିଟ ଷ୍ଟ୍ରାଇକିଂ ଫୋର୍ସକୁ ମୁତୟନ କରାଯିବ । ଏହାସହିତ ବମ୍ ଓ ଡଗ୍ ସ୍କ୍ୱାର୍ଡ ସିକ୍ୟୁରିଟି ସହ ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀ ବିଧାନସଭା ଚାରିକଡରେ ମୁତୟନ ରହିବେ । ରୁଫୁଟଫ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ସିସିଟିଭ ସର୍ଭିଲାନ୍ସକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବିଧାନସଭା ଅଧିବେଶନ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରିଛି । ନିରାପତ୍ତାକୁ ଦୃଷ୍ଟିରେ ରଖି ଆସନ୍ତା ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭା ସଂଲଗ୍ନ ରାସ୍ତା ଗୁଡ଼ିକରେ ଏହି କଟକଣା ଲାଗୁ କରାଯିବ । ବିଧାନସଭା ବାହାର ପରିସର ଓ ପିଏମଜି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ । ଜୟଦେବ ଭବନରୁ କେଶରୀ ଟକିଜ ଓ ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ରାସ୍ତାକୁ ନୋ ମ୍ୟାନ ଲ୍ୟାଣ୍ଡ ଜୋନ ଭାବରେ ଘୋଷଣା କରିଛି ପୋଲିସ । ବିଧାନସଭା ଚାରିପଟେ ଥିବା ସର୍ବସାଧାରଣ ରାସ୍ତା ଜନସାଧାରଣଙ୍କ ଯାତାୟାତ ପାଇଁ ଅନୁମତି ନାହିଁ । କେବଳ ଲୋକସେବା ଭବନ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାଇପାରିବେ । ବିଧାନସଭା ଚାଲୁଥିବା ସମୟରେ ଆତ୍ମାହୁତି ବା ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବ ନାହିଁ । ଏପରିକି ରାଜନୈତିକ ବିରୋଧ କିମ୍ବା ରାଜନେତାଙ୍କ ଅନଶନ ଉପରେ ମଧ୍ୟ ପୋଲିସ ଟିକିନିକି ନଜର ରଖିବ ।