ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଜଣେ ମ୍ୟାନେଜର ବାବୁଙ୍କୁ ମହଙ୍ଗା ପଡିଛି । ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ମ୍ୟାନେଜର ବାବୁଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଲୋକେ । ଗୋଡେଇ ଗୋଡେଇ ମାଡ , ଟାଣି ଓଟାରି , ଗୁଡେ଼ଇ ତୁଡେଇ ନିର୍ଘାତିଆ ମାଡ । କି’ଏ ହାତରେ … ତ’ କି’ଏ ଗୋଡରେ … ପୁଣି କି’ଏ ଚପଲରେ ମୁହଁକୁ ମୁହଁକୁ ଖୋବି ଦେଉଛନ୍ତି । ମାଡ ଖାଉଥିବା ଏ ବାବୁ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିଜୟ କୁମାର ସାହୁ ।
ବିଜୟ ଗତ କିଛି ଦିନ ହେଲା ଜଣେ ମହିଳାଙ୍କୁ କମେଣ୍ଟ୍ କରିବା ସହ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଆସୁଥିଲେ । ଏହାକୁ ନେଇ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଦୁହେଁ ଏହି ମ୍ୟାନେଜର ବାବୁଙ୍କୁ ରାସ୍ତାରେ ଦେଖାହୋଇ ପଚରାଉଚରା କରିଥିଲେ । ବାବୁ ଭଦ୍ରବ୍ୟକ୍ତି ହୋଇ ଖସିଯିବାକୁ ଚେଷ୍ଟା କଲା ବେଳେ ସଂପୃକ୍ତ ମହିଳା ମ୍ୟାନେଜର ବାବୁଙ୍କୁ ଧରି ପକାଇଲେ । ମହିଳାଙ୍କୁ ଧକ୍କା ମାରିବା ସହିତ ତାଙ୍କ ସ୍ୱାମୀଙ୍କୁ ମାଡମାରି ସେ ଚମ୍ପଟ ମାରିବା ବେଳେ ଧରାପଡି ଗଲେ । ବାସ୍ ଏତିକିରେ ଆରମ୍ଭ ହୋଇଗଲା ମାଡ । ମୁହଁକୁ ମୁହଁକୁ ଖୋବି ଦେଇଗଲେ ସ୍ୱାମୀସ୍ତ୍ରୀ । ରାସ୍ତାରେ ଯାଉଥିବା ଲୋକ ଅଟକି ଘଟଣା ବୁଝିଲେ ଆଉ ତା’ପରେ ପୁଣି ଖୋବିଲେ । ଯିଏ ପାରିଲା ସିଏ ଖୋବିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ନିକଟରେ । ଏନେଇ ଦୁଇ ପକ୍ଷର ଅଭିଯୋଗକୁ ଭିତ୍ତି କରି ଟାଙ୍ଗୀ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଟାଙ୍ଗୀ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।