ବେଆଇନ ଗୋରୁ ଚାଲାଣକୁ ନେଇ ତୁମୁଳକାଣ୍ଡ। ଗୋରୁ ଚାଲାଣ ଗାଡି ଖସିଯିବାରୁ ପୋଲିସ ସହ ଜଣେ ସାମାଜିକ କର୍ମୀଙ୍କ ବଚଷା ହୋଇଥିଲା। ଏସବୁକୁ ସାମ୍ବାଦିକ ଜଣକ କ୍ୟାମେରାରେ କଏଦ କଲାବେଳେ ପୋଲିସ ଆକ୍ରୋଶମୂଳକ ଭାବେ ଉଭୟଙ୍କୁ ଥାନାରେ ଅଟକ ରଖିଛି । ପୋଲିସ ଦୁଇ ଜଣଙ୍କୁ ଥାନାରେ ନିର୍ଯାତନା ଦେବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଆଳି ଥାନା ବିରୋଧରେ। ସୂଚନାରୁ ଜଣାଯାଇଛି, ଗତ ରବିବାର ବିଳମ୍ବିତ ରାତ୍ରୀରେ ଆଳି ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସକୁ ଖବର ଦେଇଥିଲେ ସାମାଜିକ କର୍ମୀ ଶୁଭାଶିଷ ଷଡଙ୍ଗୀ। ହୋମଗାର୍ଡ ଉପସ୍ଥିତିରେ ଗୋରୁଗାଡି ଖସିଯିବାରୁ ପୋଲିସ ସହ ଶୁଭାଶିଷଙ୍କ ବଚଷା ହୋଇଥିଲା। ଏସବୁକୁ ଏକ ଓ୍ବେବ ମିଡିଆ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ଯ କ୍ୟାମେରାରେ କଏଦ କଲାବେଳେ ପୋଲିସ ଆକ୍ରୋଶମୂଳକ ଭାବେ ଉଭୟଙ୍କୁ ଥାନାରେ ଅଟକ ରଖିଥିଲା । ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ନେଇ ଯୋଜନା କରୁଥିବା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ଅନିଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଳି ଥାନା ସବ୍ଇନ୍ସପେକ୍ଟର ପ୍ରଦୋଷ ପଟ୍ଟନାୟକଙ୍କ ଆଚରଣରେ ସଂଯମତା ରହୁନଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।