ସମସ୍ତେ ନିଜ ନିଜର ବିବାହକୁ ଅଧିକ ଆକର୍ଷଣୀୟ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଶେଷକରି ବିବାହ ନିମନ୍ତ୍ରଣପତ୍ର କାର୍ଡକୁ ସମସ୍ତଙ୍କଠାରୁ ଅଲଗା ପ୍ରକାର କରିବାକୁ ପ୍ରାୟ ସମସ୍ତେ ଚେଷ୍ଟା କରିଥାନ୍ତି । କେତେକ ଲୋକ କାର୍ଡରେ ଅନନ୍ୟ ବାର୍ତ୍ତ ଲେଖିଥାନ୍ତି ତ କିଛି ଲୋକ କାର୍ଡକୁ ବହୁତ ଆକର୍ଷଣୀୟ ଭାବେ ସାଜସଜ୍ଜା କରିଥାନ୍ତି । ଯେମିତି ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଅନନ୍ୟ ଲାଗିବେ । ସେହିଭଳି ଆସାମର ଜଣେ ଓକିଲଙ୍କ ବିବାହ ନିମନ୍ତ୍ରଣପତ୍ର ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୌହାଟିର ଏହି ଦମ୍ପତ୍ତି ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏକ ସମ୍ବିଧାନ- ଥିମ୍ ବାଲା ନିମନ୍ତ୍ରଣପତ୍ର ଛପାଇଛନ୍ତି । ଅଜୟ ଶର୍ମା ଏବଂ ପୂଜା ଶର୍ମା ସେମାନଙ୍କ ବିବାହ କାର୍ଡରେ ପୂରା ଆଇନଗତ ଭାଷାରେ ଲେଖିଛନ୍ତି । ସବୁଠାରୁ ବିଶେଷ କଥା ହେଲା କାର୍ଡରେ ଭାରତୀୟ ବିବାହକୁ ନିୟନ୍ତ୍ରଣ କରୁଥିବା ଆଇନ ଏବଂ ଅଧିକାର ବିଷୟରେ ଉଲ୍ଲେଖ କରାଯାଇଛି । ପତି ପତ୍ନୀ ଦୁହେଁ ସମାନ ବୋଲି ବାର୍ତ୍ତା ଦେବାକୁ ଯାଇ ନ୍ୟାୟ ତରାଜୁର ଦୁଇ ପଟରେ ବର ଓ କନ୍ୟାଙ୍କ ନାମ ଲେଖା ଯାଇଛି । କାର୍ଡରେ ଲେଖାହୋଇଛି, ବିବାହ କରିବା ଅଧିକାର ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନର ଏହା ଏକ ମୌଳିକ ଅଧିକାର । ଏହି ମୌଳିକ ଅଧିକାର ଉପଯୋଗ କରିବାର ମୋର ସମୟ ହେଲା ୨୮ ନଭେମ୍ବର ୨୦୨୧ । ତେଣୁ ମୁଁ ଧାରା ୧୯ (ବି) ଅନୁଯାୟୀ ଶାନ୍ତିରେ ଏବଂ ବିନା ମାରଣାସ୍ତ୍ରରେ ଏକାଠି ହେବାର ଅଧିକାର ପୂର୍ବକ ଆପଣଙ୍କ ଉପସ୍ଥିତିକୁ ଅନୁରୋଧ କରୁଛି । ଏହି ନିମନ୍ତ୍ରଣପତ୍ରରେ ପୁଣି ଲେଖାଯାଇଛି, “ଯେତେବେଳେ ଜଣେ ଓକିଲଙ୍କ ବିବାହ ହୁଏ, ସେ ହଁ କୁହନ୍ତିନି, ସେ କୁହନ୍ତି ମୁଁ ନିୟମ ଏବଂ ସମସ୍ତ ସର୍ତ୍ତକୁ ସ୍ୱୀକାର କରୁଛି” । କେତେକ ଲୋକ ଏହାକୁ ଥଟ୍ଟା କରି କହିଛନ୍ତି ଏହା ନିମନ୍ତ୍ରଣପତ୍ର ନୁହେଁ ବରଂ କୋର୍ଟଙ୍କ ସମନ୍ । ଏହି ନିମନ୍ତ୍ରଣପତ୍ର ପଢ଼ିବା ପରେ କ୍ଲାଟ୍ ପାଠ୍ୟକ୍ରମ ଅଧା ପଢ଼ି ଦେଇଛନ୍ତି । ଅନେକ ପ୍ରଶ୍ନ କରିଛନ୍ତି ତେବେ ଏହି ଦମ୍ପତ୍ତିଙ୍କ ବିବାହ କ’ଣ କୋର୍ଟ-ଥିମ୍ରେ ହେବ ନା ନାହିଁ ।