26 ନଭେମ୍ବର 2008 ଏହି ସେହି କଳା ଦିବସ | ଏହି କଳା ଦିବସକୁ ଆଜି ପୂରିଲା 13 ବର୍ଷ | କିନ୍ତୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇବାସୀଙ୍କ କ୍ଷତ ଏବେ ବି ତାଜା ଅଛି | ଆଜିର ଦିନରେ ଆତଙ୍କବାଦୀମାନେ ବମ୍ବେରେ ମୃତ୍ୟୁର ତାଣ୍ଡବ ଲୀଳା ରଚିଥିଲେ | ଏହି ଆତଙ୍କବାଦୀ ଆକ୍ରମଣରେ 18 ବୀର ଯବାନଙ୍କ ସହିତ 166ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣାରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା | ଏହି ଘଟଣା କଥା ମନେ ପଡିଲେ ଆଜିବି ଲୋକଙ୍କ ଲୋମ ଟାଙ୍କୁରୀ ଉଠୁଛି | ଆଜିର ଦିନରେ ଶତ୍ରୁ ଦେଶ ପାକିସ୍ତାନ ରେ ଟ୍ରେନିଂ ନେଇକି ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀମାନେ ବମ୍ବେରେ ତାଣ୍ଡବ କରିଥିଲେ | ଆତଙ୍କବାଦୀମାନେ ବମ୍ବେର ରାସ୍ତା, ରେଳ ଷ୍ଟେସନ, ହୋଟେଲ ଏବଂ କାଫେରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ | ଆତଙ୍କୀ ଆକ୍ରମଣ ରେ ହଜାର ହଜାର ଲୋକ ଆହତ ହୋଇଥିଲେ | ନିରୀହ ଲୋକଙ୍କ ଚିତ୍କାର ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା | ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଟକ୍କର ଦେଇ ମୁବାଇଁ ଆତଙ୍କବାଦୀ ନିରୋଧୀ ଦଳ ( ATS) ର ସେତେବେଳ ର ପ୍ରମୁଖ ହେମନ୍ତ କର୍କରେ ସହିଦ ହୋଇଥିଲେ | ଭାରତୀୟ ସେନାର ମେଜର ସନ୍ଦୀପ ଉର୍ଣ୍ଣି କୃଷ୍ଣନ, ମୁମ୍ବାଇ ର ଅତିରିକ୍ତ ପୋଲିସ କମିଶନର ଅଶୋକ କମତେ, ବରିଷ୍ଠ ଇନ୍ସ୍ପେକଟର ବିଜୟ ସାଲସ୍କାର ମଧ୍ୟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ | ମୁମ୍ବାଇ ଓ ମୁମ୍ବାଇବାସୀଙ୍କ ଗର୍ଵ କୁହାଯାଉଥିବା ସ୍ଥାନକୁ ଆତଙ୍କବାଦୀ ମାନେ କବଜା କରି ରଖିଥିଲେ | ଶିବାଜୀ ଛତ୍ରପତି ଟର୍ମୀନାଲ, ହୋଟେଲ ତାଜ , ଓବରାୟ ଟ୍ରାଇଡେଣ୍ଟ ହୋଟେଲ, ଲିଓପୋଲଡ଼ କାଫେ, କାମା ହସ୍ପିଟାଲ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ | ଏହାବ୍ୟତୀତ ମୁମ୍ବାଇ ରାସ୍ତା ଉପରେ ବି ସେମାନେ ଗୁଲିଚଳନା କରିଥିଲେ | ମୁମ୍ବାଇ ସୁରକ୍ଷା କର୍ମୀ ମାନେ ଜଣେ ଆତଙ୍କବାଦୀଙ୍କୁ ଜୀବିତ ଅବସ୍ଥାରେ କାବୁ କରି ଦେଇଥିଲେ | ଯାହାର ନାମ ଅଜମାଲ ଅମୀର କସାଵ | ଅଜମାଲ କସାଵକୁ ଜେଲ ରେ ରଖାଯାଇଥିଲା | ପୁରା ଆଇନ କାନୁନ ଅନୁଯାୟୀ 21 ନଭେମ୍ବର 2012 ରେ ତାକୁ ଫାଶୀ ଖୁଣ୍ଟ ରେ ଝୁଲାଇ ଦିଆଗଲା |