ଚାକିରୀରୁ ଡିସମିସ ହୋଇଥିବା ପୂର୍ବତନ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ଚାକିରିରେ ଅବସ୍ଥାପନ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ଡାହାଳପୁର ଗାଁରେ ଏହାକୁ ବିରୋଧ କରିଛନ୍ତି ଶତାଧିକ ମହିଳା । ଚାକିରୀରୁ ଡିସମିସ ହୋଇଥିବା ଦ୍ରୌପଦୀ ପ୍ରଧାନଙ୍କୁ ପୁନଃ ଅବସ୍ଥାପନ କରିବାକୁ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତାଙ୍କୁ ପୁନଃ ଚାକିରିରେ ଅବସ୍ଥାପନ କରିବା ପାଇଁ ଜିଲ୍ଲାର କେତେଜଣ ପ୍ରଶାସନ ଅଧିକାରୀ ସହାୟତା କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏ ନେଇ ଗ୍ରାମବାସୀ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ପୂର୍ବତନ ଅଙ୍ଗନବାଡି କର୍ମୀ ଦ୍ରୌପଦୀ ପ୍ରଧାନଙ୍କ ବିରୋଧରେ ଅର୍ଥ ତୋଷାରପାତ, କାର୍ଯ୍ୟରେ ଅବହେଳା, ଶିଶୁଖାଦ୍ୟ ଓ ପୋଷାକ ବଣ୍ଟନରେ ତୋଷାରପାତ, ଉପସ୍ଥାନ ଖାତାରେ ଜାଲ ଶିଶୁମାନଙ୍କ ନାମରେ ଶିଶୁଖାଦ୍ୟ ଓ ପୋଷାକ ହେରଫେର କରିବା, ଶିଶୁ ଖେଳନା ଦୁର୍ନୀତି, ଜାଲ ରେକର୍ଡ କରିବା ନେଇ ଅଭିଯୋଗ ହୋଇଥିଲା । ତତ୍କାଳୀନ ଉପଜିଲ୍ଲାପାଳ ଘଟଣାରେ ତଦନ୍ତ କରି ଏହି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ କରି ତାଙ୍କୁ ଚାକିରୀରୁ ଡିସ୍ ମିସ୍ କରିଥିଲେ । ଚାକିରୀରୁ ଡିସମିସ ହୋଇଥିବା ଦ୍ରୌପଦୀ ପ୍ରଧାନ ଏବେ ପୁଣି ସେହି ଗାଁରେ ଚାକିରୀ ଫେରିପାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।