ଏବେ ବଢି ଚାଲିଛି ସାଇବର ଠକେଇ । ଆପଣ ଲଟେରୀ ଜିତିଛନ୍ତି, ଆପଣଙ୍କୁ ଗାଡି, ଲାପଟପ ଆଦି ମିଳିବ କହି ଲୁଟେରା ବୋକା ବନାଉଛନ୍ତି ଲୋକଙ୍କୁ । ଅନଲାଇନ ମାଧ୍ୟମରେ ବିଭିର୍ନ ଉପାୟରେ ଲୁଟେରାମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଠକାମିର ଶିକାର ହୋଇଥିବା ଲୋକ ଜାଣିଲା ବେଳକୁ ଖାଲି ହୋଇଯାଉଛି ତାଙ୍କ ଆକାଉଣ୍ଟ । ଏମିତି ଏକ ଅଭିଯୋଗ ଆସିଛି କଟକ ସାଲେପୁର କେନ୍ଦୁପାଟଣା ଅଞ୍ଚଳରୁ । ଅନଲାଇନ ଠକେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ହିମାଚଳପ୍ରଦେଶର 5 ଜଣିଆ ଟିମ ଆଜି ସାଲେପୁରରେ ପହଂଚିଛି । ଏହି ଟିମ ସହ ସାଲେପୁର ପୋଲିସ ଯୁବତୀଙ୍କୁ ଥାନାକୁ ଆଣି ପଚାର ଉଚରା କରିଥିଲା । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସାଲେପୁର ପୋଲିସ କହିଛି । ଠକେଇ ବାବଦରେ ସେ କିଛି ଜାଣି ନ ଥିବା କହିଛନ୍ତି ଯୁବତୀ । ମିଳିଥିବା ସୂଚନା ଅନୁଯାୟୀ 5ଲକ୍ଷ ଟଙ୍କା ଲଟେରୀ ଜିତିଥିବା ନେଇ କେଭିସି ନାମକ ସଂସ୍ଥାରୁ ଯୁବତୀଙ୍କୁ ଏକ ମେସେଜ ଆସିଥିଲା । ସେଥିପାଇଁ ସଂସ୍ଥାର ଆକାଉଣ୍ଟରେ 19 ହଜାର 500 ଟଙ୍କା ଡିପୋଜିଟ କରିବାକୁ କୁହାଯାଇଥିଲା । ଯୁବତୀ ଜଣକ ସଂସ୍ଥାର ଆକାଉଣ୍ଟରେ ଟଙ୍କା ଡିପୋଜିଟ ମଧ୍ୟ କରିଥିଲେ । ପରେ ସଂସ୍ଥା ପକ୍ଷରୁ ତାଙ୍କ ଆକାଉଣ୍ଟକୁ 5ଲକ୍ଷ ଟଙ୍କା ଆସିଥିବା ଯୁବତୀ ଜଣକ କହିଛନ୍ତି । ଅନ୍ୟପଟେ ସମ୍ପୃକ୍ତ ଯୁବତୀଙ୍କୁ ବ୍ୟବହାର କରି ହିମାଚଳପ୍ରଦେଶର ଜଣେ ସାଇବର ଠକ ଦେଶର ବିଭିନ୍ନ ଜାଗାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡିଛି। ହିମାଚଳପ୍ରଦେଶର ଜଣେ ସୈନିକ ଏଭଳି ଠକାମୀର ଶିକାର ହେବା ପରେ ସେ ଥାନାରେ ଏତେଲା ଦେଇଥିଲେ । ଏ ସମ୍ପର୍କରେ ହିମାଚଳ ପୋଲିସଙ୍କୁ ପଚାରିବାରୁ ଅନୁସନ୍ଧାନ ଚାଲିଛି ସରିବା ପରେ ଗଣମାଧ୍ୟମକୁ କୁହାଯିବ ବୋଲି ସେମାନେ କହିଥିଲେ ।