ଓଡ଼ିଶାର ଏକ ପ୍ରାଚୀନ ଶୈବପୀଠ ହେଲା ଆରଡି ସ୍ଥିତ ବାବା ଆଖଣ୍ଡଳମଣୀ । ହିନ୍ଦୁ ରୀତି ନୀତି ଅନୁଯାୟୀ ବାବାଙ୍କ ନିକଟରେ ବାର ମାସରେ ତେର ପର୍ବ ପାଳନ କରଯାଏ । ବହୁ ଶୁଦ୍ଧିପୁତ ଭାବେ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କିନ୍ତୁ ଗତ ରବିବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବାବା ଆଖଣ୍ଡଳମଣୀ ମନ୍ଦିର ପରିସରରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ ପଡି ଜଣେ ଶିଶୁ ମୃତ୍ୟୁ ବରଣ କରିଥିଲେ । ଫଳରେ ମନ୍ଦିର ପରିସର ଅପବିତ୍ର ହୋଇଯାଇଥିବା ନେଇ ସେବାୟତମାନେ ଅଭିଯୋଗ କରିଥିଲେ । ପରେ ମନ୍ଦିର ପରିସର ଶୁଦ୍ଧି କରାଯିବ ସହ ଶିବ ଗଙ୍ଗା ପୁଷ୍କରିଣୀକୁ ମଧ୍ୟ ପରିଷ୍କାର କରାଯାଇଥିଲା । ମନ୍ଦିରର ବିଭିନ୍ନ ସମସ୍ୟା ନେଇ ଆଖଣ୍ଡଳମଣି ସେବାୟତ ସଙ୍ଘ ଗଣ ଧାରଣା ଦେଇଥିଲେ । ବିଭିର୍ନ ଦାବି ନେଇ ମନ୍ଦିରର ଦକ୍ଷିଣ ଦ୍ୱାର ସମ୍ମୁଖରେ ସେବାୟତମାନେ ଧାରଣାରେ ବସିଥିଲେ ।
ଭଦ୍ରକ ଜିଲ୍ଲାର ଏକ ଛୋଟ ସହର ଆରଡ଼ିରେ ରହିଛି ବାବା ଆଖଣ୍ଡଳମଣୀଙ୍କ ମନ୍ଦିର । ସେବାୟତ ମାନେ ଅଭିଯୋଗ କରିଛନ୍ତି ଯେ, ବାବାଙ୍କ ଦର୍ଶନ ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଜମେ । ହେଲେ ଆରଡ଼ି ପୀଠରେ ଥିବା ମେଡିକାଲରେ ଡାକ୍ତର ନାହାନ୍ତି । ମେଡିକାଲରେ ଆମ୍ବୁଲାନ୍ସ ନାହିଁ। ଆଖଣ୍ଡଳମଣୀ ଶିବଗଙ୍ଗା ପୁଷ୍କରିଣୀ ଚାରିପଟେ ବ୍ୟାରିକଡ଼ ହୋଇନାହିଁ। ଯାତ୍ରୀଙ୍କ ଲାଗି ପାର୍କିଂଷ୍ଟାଣ୍ଡ ମଧ୍ୟ ନାହିଁ । ସୁଲଭ ଶୌଚାଳୟଟେ ନାହିଁ। ଏଠାରେ ବାରମ୍ବାର ବିଜୁଳି କାଟ ହେଉଛି । ପୀଠରେ ସବୁଠାରୁ ବଡ ସମସ୍ୟା ହେଲା ପିଇବା ପାଣିର ସୁବିଧା ନାହିଁ । ଆଖଣ୍ଡଳମଣି ପୀଠରେ ବିଭିର୍ନ୍ନ ଅବ୍ୟବସ୍ଥା ଲାଗି ରହିଥିବାରୁ ଭକ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଶିବଗଙ୍ଗା ପୁଷ୍କରିଣୀରେ ଏକ ଓଡ୍ରାଫ ଟିମ ନିୟୋଜିତ କରିବାକୁ ସେବାୟତମାନେ ଦାବି କରିଛନ୍ତି । ଅନ୍ୟ ସମସ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ଦାବିପତ୍ର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାରଙ୍କୁ ପ୍ରଦାନ କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ।