ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ବିରୋଧ କରାଯାଇଛି । କଟକ ଜିଲ୍ଲା ଚୌଦ୍ଵାର ତଳ ବଜାର ପାଲାମଣ୍ଡପଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଚୌଦ୍ଵାର ବିଦ୍ୟୁତ ଉପଭୋକ୍ତା ମଞ୍ଚ ସହ ଉପଭୋକ୍ତାମାନେ ଉପସ୍ଥିତ ରହି ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ବିରୋଧ କରିଥିଲେ । ଅହେତୁକ ବିଜୁଳି କାଟ, ଗ୍ରାହକଙ୍କ ବିନାନୁମତିରେ ନୂଆ ମିଟର ବସାଇବା , ପର୍ଯ୍ୟାୟ କ୍ରମେ ବିଦ୍ୟୁତର ମୂଲ୍ୟ ବୃଦ୍ଧି , ଟ୍ରାନ୍ସଫର୍ମର ବସିଥିବା ସ୍ଥାନ ବିପଦପୂର୍ଣ୍ଣ ରହିବା , ଗ୍ରାହକ ବୃଦ୍ଧି ପରେ ମଧ୍ୟ ନୂତନ ଟ୍ରାନ୍ସଫର୍ମର ନ ବସାଇବା ଆଦି ବହୁ ଅଭିଯୋଗ ନେଇ ଟାଟା ପାୱାର ବିରୋଧରେ ଅଭିଯୋଗ ଅଣାଯାଇଥିଲା । ସମସ୍ତ ଅଭିଯୋଗକୁ ଲିଖିତ ଭାବରେ ସ୍ଥାନୀୟ ଥାନାଠାରୁ ଆରମ୍ଭ କରି , ଶକ୍ତିମନ୍ତ୍ରୀ, ଜିଲ୍ଲାପାଳ , ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଭାଗୀୟ ଅଫିସରମାନଙ୍କୁ ଜଣାଯିବ ବୋଲି ସଭାରେ ନିର୍ଣ୍ଣୟ ହୋଇଥିଲା । ଟାଟା ପାୱାର କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇ ବିଦ୍ୟୁତ ବିଭାଗକୁ ସରକାର ହାତକୁ ନିଅନ୍ତୁ ବୋଲି ଉପଭୋକ୍ତା ମଞ୍ଚର କର୍ମକର୍ତ୍ତା ଦାବି ରଖିଥିଲେ ।