ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କରିବାକୁ ଜଗିଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି କେନ୍ଦ୍ରାପଡା ପୋଲିସ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଅଣ୍ଡାମାଡ କରିବାକୁ ବିଜେପି କର୍ମୀମାନେ ଗୁଲନଗର ପଞ୍ଚାୟତର କଟକ ଚାନ୍ଦବାଲି ରାସ୍ତାର ମାରୁତି ଛକ ନିକଟରେ ଜଗି ରହିଥିଲେ । ସେମାନେ ଅଣ୍ଡା ପଲିଥିନ ଓ କଲା ପତାକା ଧରି ପ୍ରସ୍ତୁତ ଥିଲେ । ଖବରପାଇ ପୋଲିସ ୩ଜଣ ବିଜେପି କର୍ମିଙ୍କୁ ଉଠାଇନେଇଛି । ସେମାନଙ୍କଠାରୁ ପୋଲିସ ଅଣ୍ଡା ଭର୍ତି ପଲିଥିନ୍ ବ୍ୟାଗକୁ ଜବତ କରିଛି । ଗିରଫ ବିଜେପି କର୍ମୀମାନେ ହେଲେ ଜିଲ୍ଲା ଯୁବ ବିଜେପିର ସଭାପତି ବିନ୍ଦୁ ସାଗର ଦାସ, ଉପସଭାପତି ଶୋଭନ ଆଚାର୍ଯ୍ୟ ନଗର ଯୁବ ବିଜେପି ନେତା ସିଦ୍ଧାର୍ଥ ସିଂହ । ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣ୍ଡାମାଡ କରିବାକୁ କଟକ ଚାନ୍ଦବାଲି ରାସ୍ତାର ଗରାପୁର ଛକରେ ଅପେକ୍ଷା କରିଥିବା ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନଙ୍କୁ ରାସ୍ତାରୁ ଉଠାଇନେଇଛି ପୋଲିସ । ସେମାନଙ୍କ ନିକଟରେ ଥିବା ଅଣ୍ଡାଗୁଡିକୁ ରାସ୍ତାରେ ପିଟି ଭାଙ୍ଗି ଦେଇଛି ପୋଲିସ । ପୋଲିସ ଉଠାଇ ନେଇଥିବା ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ପରଭେଜ ଅଖତର ଓ ଜିଲ୍ଲା ଯୁବକଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ସମେତ ୬ଜଣ କର୍ମକର୍ତ୍ତା ରହିଛନ୍ତି ।